STORYMIRROR

Dhruba Behera

Inspirational

2  

Dhruba Behera

Inspirational

ମୋ ଗାଆଁ

ମୋ ଗାଆଁ

1 min
13.3K


ମୋ ଗାଆଁ

ସୁନ୍ଦର ସବୁଜ ଘନ ବନରାଜି 

ହସୁଥାଏ ଯାର କୋଳେ 

କୋଇଲିର କୁହୁ ସୁଗମ ଲାଗଇ 

ବସନ୍ତ ଫଗୁଣ ମେଳେ ।।

ପୁରୁବ ଆକାଶେ ଦିନମଣୀ ହସେ 

ସୁନେଲୀ କିରଣେ  ଆହା 

ପୁଷ୍କରିଣୀ ମଧ୍ଯ ହଂସ ହଂସରାଳି 

କେଳି ଲାଗୁଥାଏ ନୂଆ ।।

ଶଗଡିଆ ଗୀତ ପାହାନ୍ତା ପହରେ 

ଦୂରୁ ଶୁଭୁଥାଏ ନିତି 

ଧାନଖଳା ମାନ ଧାଡି ଧାଡି ହୋଇ 

ଛତା ସମ ଲାଗେ ଫୁଟି ।।

ରଜନୀ ଗନ୍ଧାର ବାସ ଚହଟଇ 

ମଧୁମାଳତୀର ଗଭା 

ହସୁଥାଏ ମଲ୍ଲୀ ଚମ୍ପା ଫୁଲ ଝୁଲି  

 ବାସତାର ମନୋଲୋଭା ।।

ଆମ୍ବ ପଣସର ମହ ମହ ବାସ୍ନା 

ସତେଜ ଲାଗେ ସକାଳ 

ଭୁଲି ହୁଏ ନାହିଁ ପରମ୍ପରା ଖାଦ୍ୟ

ଅମୃତ ଲାଖେ ପଖାଳ ।।

ହୋଲି ପଞ୍ଚୁଦୋଳ କାର୍ତ୍ତିକ ପୂର୍ଣ୍ଣିମା 

ବାରମାସେ ତେର ଯାତ 

ଗାଆଁ ଯନ୍ତାଳର  ନିଆରା ଲାଗଇ 

ମକରେ ସଇ ସଙ୍ଗାତ ।।

ବୋହୁଚୋରି ଖେଳ ସାଙ୍ଗ ସାଥି ମେଳ 

ରଜଦୋଳି ଜହ୍ନି ଓଷା 

ବାଦିପାଲା ପୁଣି ବାଣାସୁର ବଦ୍ଧ 

କେତେ ଯାନି ଯାତ୍ରା ନିଶା ।।

ସୁନ୍ଦର ଲାଗଇ ଗାଆଁ ପରିବେଶ 

ଧାନ ଶୋରିଷର କ୍ଷେତେ 

କୃଷକ ଭାଇନା ଆନନ୍ଦ ହୁଅଇ 

ସମୟରେ ହଳ ଯୋତେ ।।

ସୁନାର ଫସଲ ହସାଇ ଦିଏ ସେ 

ଲହୁ ଲୁହ ଦିଏ ଢାଳି 

ଖରା ବୈଇଶାଖ ନ କରି ଖାତର 

ଲଗାଏ ଶଷ୍ଯର ମେଳି ।।

ସରଳ ଜୀବନ ସରଳ ମୋ ଗାଆଁ 

ସହରେ ମିଳିବ ନାହିଁ 

ଭାଇଚାରା ପଣେ ସେନହ ଆଦର 

ଏହି ମୋର ଗାଆଁ ଭୂଇଁ ।।

ସରଗଠୁ ବଡ ମଧୁଠାରୁ ମିଠା 

ଲାଗେ ମୋତେ ଗାଆଁ କୋଳ 

ଏହି ମୋର ଗାଆଁ ପବିତ୍ର ମୋ ମାଟି 

ଉତ୍କଳ ଭାରତ ବଳ ।।

ଦେଶ ପ୍ରଗତିର ପ୍ରଥମ ସୋପାନ 

ଗାଆଁର ଉନ୍ନତି ଭାଇ 

ହସିଲେ ମୋ ଗାଆଁ ହସିବ ମୋ ଦେଶ 

ଗାନ୍ଧୀଙ୍କର  ବାଣୀ ଏହି ।।

ଧ୍ରୁବ ଚରଣ ବେହେରା ।

ତା୨୭।୦୩।୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational