ମୋ ମାଟି
ମୋ ମାଟି
କି ସୁନ୍ଦର ଆହା ଦିଶୁଛି ଧରଣୀ
ଜଳଧର ଆଗମନେ
ସବୁଜିମା ରାଜି ମନ କିଣି ନିଏ
ପଲ୍ଲବିତ ଉପବନେ ।।
ମାଟି ଗାଉଅଛି ପ୍ରକୃତି କବିତା
ସୁ ଉଚ୍ଚ ପାହଡ ଘେରି
ଦୂରେ ତାଳ ବଣ ଲାଗେ ମନୋରମ
ଦିଶୁଛି ପାଶେ ଭାଲେରୀ ।।
ଧଳା ବଉଦ ତ ଖେଳେ ଲୁଚକାଳି
ଭୂ ଧର ମଥାକୁ ଛୁଇଁ
କଳାମେଘ ଦେଖ ଓଢଣା ନାଇଛି
ଅବନୀ ରୂପସୀ ପାଇଁ ।।
ରାଜ ରାସ୍ତା ଧାରେ ଧାଡି ଧାଡି ଦେଖ
ହସୁଛି ସୁନାର ଖେତ
ବଗ ଗେଣ୍ଡାଳିଆ ଉଡୁଛନ୍ତି ନଭେ
ମନରେ ହୋଇ ଉସତ ।।
କେଁ କଟରରେ କମ୍ପୁଛି ମେଦିନୀ
ବେଙ୍ଗୁଲୀର ବାହାଘର
ଚାରିଆଡେ ଖାଲି ଜଳମଗ୍ନ ଦେଖି
କୃଷକ ମନ ଅଧିର ।।
ସୌଦାମିନୀ ରହି ଚମକୁଛି ରଙ୍ଗେ
ନୀଳ ଆକାଶ ଚୂଳେ
ଚାତକ ବାଟୋଇ ଆନନ୍ଦିତ ହୋଇ
ଚାହିଁଛି ଅମ୍ବର କୂଳେ ।।
ସତେକି ଧରାର ଶୁଭ ପରିଣୟ
ନାନା ପୁଷ୍ପ ଅଛି ଫୁଟି
ବରଷା କାଳଟି ଚାଷୀ କୁଳ ଲାଗି
ସପନର ଏକ ଭେଟି ।।
ଏହି ସେ ବରଷା ବରଷି ଯାଉଛି
କେତେ ଜନମନ ଜିଣି
ସଜୀବଙ୍କ ଲାଗି ଅମୃତର ବାରି
କୋଟି ମନ ନିଏ କିଣି ।।
ବାଣ୍ଟି ଦେଇଥାଏ ନିରାଶା ମନରେ
କେତେ କେତେ ନୂଆ ହସ
ଅମୂଲ୍ୟ ଅଟଇ ସବୁ ରତୁ ଠାରୁ
ସତେତ ଆମର ଇଷ୍ଟ ।।
ପୁରି ଉଠିଥାଏ କାଳିନ୍ଦୀ ନନ୍ଦିନୀ
ଯୌବନେ କହଇ କଥା
ଅମାନିଆ ହୋଇ ବହି ଯାଉଥାଏ
ପିଟି ଦେଉଥାଏ ମଥା ।।
ଅନେକ ଦିନର ଆକାଂକ୍ଷିତ ଆଶା
ପୁରିଯାଏ ସରୋବର
କୁଳୁ କୁଳୁ ହୋଇ ଗାଉଛି ଝରଣା
ନଦୀ ବିନା କି ସାଗର ?
ବଉଦ ଘୋଟିଲେ କୃଷ୍ଣ ରଙ୍ଗ ନେଇ
ନାଚି ଉଠୁଥାଏ ଶିଖୀ
ବରଷା କାଳଟି ମଙ୍ଗଳ ମହୁରୀ
କୃଷି ପ୍ରାଣ ପ୍ରତି ରକ୍ଷୀ ।।
ଧ୍ରୁବ ଚରଣ ବେହେରା ।
ତା :୧୬।୦୭।୧୮
