STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମଣିଷ ପ୍ରତି ସାବଧାନ

ମଣିଷ ପ୍ରତି ସାବଧାନ

2 mins
267


କୁକୁର ଦିନେ ଏକାଠି ହୋଇ

   ସଭାଟି ଡକାଇଲେ,

ଦେଶୀ ବିଦେଶୀ ନାଲି କାଇଁଚି

   ଯେତେ ଗାଆଁରେ ଥିଲେ।


ଡଗର‌ ମ୍ୟାନ ଆଲ୍‌ଟ୍ରାସିଆନ

    ଟ୍ରଫି କି ଟାଇଗର,

ଟମି‌ ଓ ଡ୍ରମି‌, ହାପି‌ ରୋମିଓ

    ନାଆଁ କୁକୁରଙ୍କର।


ବୁଲା କୁକୁର ବହୁ ପ୍ରକାର

   ସେଠାରେ ଆସିଥିଲେ,

କେ ରୁମଛଲା କିଏ ସେ କଣା

   କେତେକ ଛୋଟା ଥିଲେ।


କାହାର ଲାଞ୍ଜ କଟା ହେଇଛି

    ହାଣ୍ଡି ମାରିଛି‌ କିଏ,

କାହାର ଗୋଟେ ଗୋଡ଼ ନାହିଁ ତ

    ତିନି ଗୋଡ଼ରେ ଡିଏଁ‌।


କିଛି କୁକୁର ଘୋଷାଡି ହୋଇ

    ସଭାରେ ପହଞ୍ଚିଲେ,

ପାହାର‌ ଖାଇ ଅଣ୍ଟା ଭାଙ୍ଗିଛି

    କା'ଘରେ ପଶିଥିଲେ।


କା' ବେକରେ ଘା' ଶୁଖୁନି

    ସିଏ ବି ଆସିଅଛି,

ଅଧ ମାଇଲି ବାଟରୁ ଗନ୍ଧ

    ନାକରେ ବାଜୁଅଛି।


କୁକୁର ସଭା ଯେଣୁ ବସିଲା 

    ମଣିଷ ବିରୋଧରେ,

ପ୍ରତି କୁକୁର ନିଜ ନିଜର

    ବକ୍ତବ୍ୟ ଦେଉଥିଲେ।


କୁକୁର କୁଳେ‌ ଜନମ ଆମ

    ହୁଡିବ ନାହିଁ ଧର୍ମ,

ତ୍ରେତୟା ଯୁଗେ ଆମକୁ ପ୍ରଭୁ

    ଶ୍ରୀରାମ ଦେଲେ ରାଣ‌।


ସେଇଥି ପାଇଁ ଯନ୍ତ୍ରଣା ସହି 

    ମଣିଷ ଛୁଆ ପାଇଁ,

ସର୍ପ କବଳେ ଜୀବନ ଦେଲା

    ଆମ କୁକୁର ଭାଇ‌। 


ମଣିଷ ଜାତି ସତକୁ‌ ଛାଡ଼ି

    ମିଥ୍ୟା ଆଦରିଲାଣି,

ବିଶ୍ଵାସ ସମ ଅମୃତ ଶବ୍ଦ

    ମନରୁ ପୋଛିଲାଣି‌।


ସ୍ଵାର୍ଥ ପାଇଁ ତ କାଟୁଛି ତଣ୍ଟି

    ଭାଇ ଭାଇର ଶତ୍ରୁ,

ବାପଝିଅରେ ପ୍ରେମ ସମ୍ପର୍କ

    ସ୍ଥାପନ କରେ କିନ୍ତୁ।


ଆମେତ ଚାରିଗୋଡିଆ‌ ପଶୁ

    ମଣିଷ ଘର ଜଗୁ,

ରୁଟି ଖଣ୍ଡିଏ ପାଇଁ ବିଶ୍ଵାସ

    ତୁଟାଉ ନାହୁଁ ହୃଦୁ‌।


ଛଲା କୁକୁର ଦିଏ ଭାଷଣ

    ସହି ନ ପାରି ଭୋକ,

ମାଛ ଖଣ୍ଡିଏ ଝାମ୍ପି ଖାଇଲି

   ଗରମ ତେଲ ଛାଟ।


ମଣିଷ କ'ଣ ଲୁଟି ଖାଉନି‌

   ପର ସମ୍ପତ୍ତି ଯେତେ,

ରାଜସ୍ବ ହରିଲୁଟ୍‌ ହେଉଛି

   ଋଣ ବଢୁଛି କେତେ।


ଦେଖୁ ଦେଖୁ ସେ କଚ୍ଛା କାହାର

   ମଣିଷ କାଟି ନିଏ,

ଆମେ କୁକୁର ହେଇଚୁ ବୋଲି

    ଆମକୁ ଦଣ୍ଡୁଥାଏ। 


କଣା କୁକୁର କହୁଛି ଶୁଣ

    ଏଇ ମଣିଷ ଭାଇ,

ରାତି ଅଧରେ ଅନ୍ୟର ଘରେ

    ଯତନେ‌ ଗଳୁଥାଇ।


ସହି ନ ପାରି ଭୁକି‌ ମୁଁ ଦେଲି

    ଆଖି ମୋ ଫୁଟେଇଲା,

ବିନା ଦୋଷରେ ନିଷ୍ଠୁର ପଣେ

    ବହୁ ପାହାର ଦେଲା।


ଛୋଟା କୁକୁର ଦିଏ ବକ୍ତବ୍ୟ

    ଜଣେ ମଣିଷ ଆସି,

ଅନ୍ଯର ଘରେ କବାଟ ତାଡ଼ି

    ଭାବିଲା ଯିବ ପଶି‌।


କାମୁଡି ଦେଲି ଗୋଡକୁ ତାର

    ରାଗ ମୋ ଚଢ଼ିଗଲା,

କାଠଫାଳିଆ ଧରି ବାଡେଇ

   ଗୋଡ ମୋ ଭାଙ୍ଗି ଦେଲା।


ସେ ଲାଞ୍ଜକଟା ବୁଢ଼ା କୁତାଟା

   ଦେଲା ତାହାର ବାର୍ତ୍ତା,

ଆମରି ଭଳି ମଣିଷଙ୍କର

   ହେଲା ଆଜି ଅବସ୍ଥା‌।


ପାଶ୍ଚାତ୍ୟ ଢଙ୍ଗ ଶରୀର ନଗ୍ନ

   ଅଶ୍ଳୀଳ ବ୍ୟବହାର 

ପୁଅଝିଅଙ୍କ ଯୋଡି ଯାଉଁଳି

   ପାର୍କ ହେଉଛି ଭିଡ଼।


ଅଶୀ ବରଷ‌ ବୁଢ଼ାକୁ ଦେଖ

   ପିନ୍ଧୁଛି‌ ବରମୁଣ୍ଡା,

ବୁଢ଼ୀ ନାଇଟି‌ ଗଳେଇ ଦେଇ

   ଉଡାଏ ଧର୍ମ ଝଣ୍ଡା‌।


ଆମେ ସହଜେ ଅଜ୍ଞାନ ପଶୁ

   ଜନ୍ମରୁ ଆମେ ନଗ୍ନ,

ଯଦିବା‌ ତ୍ରୁଟି କରିଲୁ‌ କିଛି

   କାଟିଲେ ମୋର ଲାଞ୍ଜ।


ସବୁ ଏମିତି କୁକୁର ମିଶି 

    କରିଲେ ସମାଧାନ,

ଯେ ବେଇମାନ‌ ମଣିଷ ପ୍ରତି

    ରହିବା ସାବଧାନ।


ସବୁଠୁଁ ହିଂସ୍ର ସେଇ ମଣିଷ

     ବିଶ୍ଵାସେ ଦିଏ ବିଷ,

ସ୍ବାର୍ଥ ପକେଟ ଭରିବ‌ ବୋଲି

    ବସେଇଥାଏ ଫାଶ‌।


ଖଣି ବିକିଲେ‌ ପାଣି ବିକିଲେ‌

    ଜଙ୍ଗଲ ସଫା କଲେ,

ଚାକିରୀ ପାଇଁ ଲାଞ୍ଚ ବି ନେଲେ

    ଗଣ ଦୁଷ୍କର୍ମ କଲେ।


ପାଟିରେ ଗୋଟେ କଥା କୁହନ୍ତି

    ପେଟରେ‌ ଗୋଟେ କଥା,

ଅନ୍ୟକୁ ବିଷ ଫତା‌ ଧରେଇ

     ନିଜେ ଖାଆନ୍ତି ମିଠା।


ତେଣୁ ହେ‌ ପ୍ରିୟ କୁକୁର ବନ୍ଧୁ

    ଆଉ କରନି ଚିନ୍ତା,

ଆମ ଏକତା ଏ ବଡ କଥା

    ସାହା ବିଧାତା‌ ଏକା।


ସବଳ‌ ନିତି ଦୁର୍ବଳ ପ୍ରତି

    କରୁଛି ଅତ୍ୟାଚାର,

ସବୁ ଦେଖୁଛି ସେ ଚକା ଆଖି

    କରିବ ପ୍ରତିକାର।



Rate this content
Log in

Similar oriya poem from Comedy