STORYMIRROR

Mousumi Nayak

Children Others

2  

Mousumi Nayak

Children Others

ମନେପଡେ ମୋ ପିଲାଦିନ

ମନେପଡେ ମୋ ପିଲାଦିନ

1 min
3.3K


ନିଦ ମାଉସୀ ରାତିରେ ଯେବେ ଆସଇ ହସିହସି,

ଚୁନାଚୁନା ସପନ କେତେମୋ ମନେ ଉଠଇ ଭାସି।

ସପନେ ମୋର ଝଲସି ଉଠେ ସେଇ ମୋ ପିଲାଦିନ,

ମନେପଡେ ସେହି ଅଭୁଲା ସ୍ମୃତି ଝୁରଇ ମୁଁ ରାତିଦିନ।

ଭଲ ଲାଗେନା ସେ ସ୍କୁଲ୍ ପାଠପଢା ଖାଲି ଧୂଳିଘର ନିଶା,

ଭାଇ ସହ ସେହି ସକାଳ ଝଗଡା ପୁଣି ରାତିରେ ସେ ମିଳାମିଶା।

ମନେପଡେ ସେହି ଆମ୍ବଚୋରି ଆଉ ଗାଁର ଚଇତିମେଳା,

ଖୁଦୁରୁକୁଣୀର ବାଲୁଙ୍କା ସାଙ୍ଗକୁ ଗାଁ ଦାଣ୍ଡେ ହୋ-ହାଲ୍ଲା ।

କେନ୍ଦୁଅଠା ଆଉଖବରକାଗଜେ ଭାଈ କରୁଥିଲା ଗୁଡି,

ଖୁସି ହେଉଥିଲୁ ଆମେ ଦୁହେଁ କେତେ ଯେବେ ଯାଏ ସେ ଆକାଶେ ଉଡି ।

ମନେପଡେ ସେହି ରଜଦୋଳି ଗୀତ ଆଉ କୁଆଁରପୁନେଁଇ ଜହ୍ନ,

ମନେପଡେ ପୁଣି କାର୍ତ୍ତିକ ମାସର ଗାଁର ସେ ସଂକୀର୍ତ୍ତୀନ।

ଖରାଦିନିଆ ସଞ୍ଜବେଳର ସେ ନଈକୂଳିଆ ପବନ,

ବର୍ଷାଦିନିଆ ଡଙ୍ଗାଭସା ଆଉ ସେଇ ଶୀତୁଆ ସକାଳ।

ମନେପଡେ ମେରୀ-ଚକାଭଉଁରୀ,ଡାବଲପୁଆର ଖେଳ,

ମନେପଡେ ଗାଡିଆର ଦଳଭେଳା ଆଉ ସାଙ୍ଗସାଥୀ ମେଳ।

ବନ୍ସୀକଣ୍ଟାରେ ମାଛଧରା ଆଉ ନୂଆବରଷରେ ଭୋଜି,

ପକାଏ ମନ ସେ ସବୁକୁ ହେଲେ ପାଏନି ସେ ଦିନ ଖୋଜି।

ହେଲାଣି ଆସି ମୋ ଜୀବନେ ମଧ୍ଧ୍ୟାହ୍ନ,

ତଥାପି ଝୁରୁଛି ଆଜି ମୁଁ ସେଇସବୁ ଦିନ।

ସମୟ ଚକେ ଯଦି ଫେରି ମୁଁ ପାରନ୍ତି,

ମୋ ପିଲାଦିନ ସ୍ମୃତି ସବୁ ସାଉଣ୍ଟି ଆଣନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children