ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ପୁଣ୍ୟ ଓଡ଼ିଶାରେ ପାଳନ ହୁଅଇ
ବାରମାସେ ତେର ପର୍ବ
ଓଡ଼ିଶାର ପର୍ବ ସଂସ୍କୃତି ଗୌରବ
ସେ ପାଇଁ ମନରେ ଗର୍ବ।
ବାରମାସରେ ବାର ଗୋଟି ରାଶିରେ
ବାର ସଂକ୍ରାନ୍ତି ପଡ଼ଇ
ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଚଳନ
ମାସକରେ ହୋଇଥାଇ।
ମାଘ ମାସରେ ଯେ ମକର ରାଶିରେ
ସୂର୍ଯ୍ୟଙ୍କ ଚଳନ ହୁଏ
ମକର ସଂକ୍ରାନ୍ତି ସମସ୍ତେ ପାଳନ୍ତି
ଗଣପର୍ବ ଯେ ବୋଲାଏ।
ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ଗତି
ଅତ୍ୟନ୍ତ ପବିତ୍ର ଦିନ
ପ୍ରୟାଗ, ଆଦି ଯେତେକ ତୀର୍ଥ ଜଳେ
କରନ୍ତି ପ୍ରାତଃ ସ୍ନାହାନ।
ସ୍ନାନ ପରେ ଦାନ ଧ୍ୟାନ କରିଥାନ୍ତି
ଖାଆନ୍ତି ସାତ୍ୱିକ ଖାଦ୍ୟ
ସବୁ ଓଡ଼ିଆଙ୍କ ଘରେ ଠାକୁରଙ୍କୁ
ମକର ଚାଉଳ ଭୋଗ ।
ନୂଆ ଚାଉଳ , ଦହି କ୍ଷୀର , କଦଳୀ,
ନଡ଼ିଆ ,ରାଶି ଓ ଗୁଡ
ଘୃତ, ମଧୁ, ଅଦା, କର୍ପୁର ପଡ଼ଇ
ପ୍ରଭୁଙ୍କୁ ହୁଏ ନୈବେଦ୍ୟ ।
ସର୍ବ ଦେବା ଦେବୀ ମନ୍ଦିରେ ମକର
ଚାଉଳ ହୁଅଇ ଭୋଗ
ସେହି ଭୋଗ ଦେଇ ମକର ବସନ୍ତି
ମନରେ ହୋଇ ସରାଗ ।
ମକର ବସିଲେ ଦୁଇ ଜଣଙ୍କର
ମନ ଏକ ହୋଇ ଯାଏ
ନାମ ନ ଧରନ୍ତି ମକର ଡାକନ୍ତି
ଦୁହେଁ ବଞ୍ଚିଥିବା ଯାଏଁ ।
ପରସ୍ପର ବନ୍ଧୁ ହୋଇଯାନ୍ତି ଦୁହେଁ
ଆନନ୍ଦେ କାଟନ୍ତି ଦିନ
ସୁଖ ଦୁଃଖ, ଆଉ ହସ, କାନ୍ଦ ବାଣ୍ଟି
ସହି ମାନ ଅପମାନ ।
ଗ୍ରାମ ମାନଙ୍କରେ ଶିବ ମନ୍ଦିରରେ
ହୁଅଇ ମକର ମେଳା
ବାଣ୍ଟି ଖାଇବାଟା ଓଡ଼ିଆ ମାନଙ୍କ
ଅଟେ ବଡ ପରମ୍ପରା।
ଯାଜପୁର ଜିଲ୍ଲା ବରୁଣେଶ୍ୱରଙ୍କ
ପାଖରେ ମେଳା ହୁଅଇ
ବହୁତ ବଡ ଯଜ୍ଞହୁଅଇ ପୁଣି
ଯାତ୍ରାପାର୍ଟି ଯେ ପଡ଼ଇ।
ସାତ ଦିନ ଯାଏଁ ଏହି ମେଳା ଚାଲେ
ଦର୍ଶକଙ୍କ ଲାଗେ ଭିଡ
ମକର ସଂକ୍ରାନ୍ତି ଦିନ ପୋଡପିଠା
ହୋଇଣ ଥାଏ ନୈବେଦ୍ୟ।
ମୟୂରଭଞ୍ଜ ,ସୁନ୍ଦରଗଡ଼ ଜିଲ୍ଲାରେ
ଏହା ଅଟେ ବଡ଼ ପର୍ବ
ନୂଆ ଲୁଗା, ପଟା ପିନ୍ଧନ୍ତି ସମସ୍ତେ
ମନରେ ବହି ସରାଗ ।
ନାନା ଜାତି ପିଠା ପଣା, ସାଙ୍ଗେ ପୁଣି
ମକର ଚାଉଳ ଖାଇ
ଟିସୁ ପରବକୁ ପାଳନ୍ତି ଆନନ୍ଦେ
ନୃତ୍ୟ ଗୀତ ଚାଲିଥାଇ।
ଦକ୍ଷିଣ ଭାରତେ ଏହାକୁ ପୋଙ୍ଗଲ
ପର୍ବ ଭାବେ ପାଳିଥାନ୍ତି
ତିନିଦିନ ଧରି ପୂଜା ଚାଲିଥାଏ
ହସ ଖୁସିରେ ରହନ୍ତି।
ସାରା ଭାରତରେ ଅନେକ ନାମରେ
ପାଳିଥାଆନ୍ତି ଏ ପର୍ବ
ପିତାମହ ଭୀଷ୍ମ ଏହିଦିନ ତାଙ୍କ
ଦେହ କରିଥଲେ ତ୍ୟାଗ।
ବ୍ୟାସକବି ଫକୀରମୋହନଙ୍କର
ପବିତ୍ର ଜନ୍ମ ଦିବସ
ଗଣ ପର୍ବ ଏହି ମକର ସଂକ୍ରାନ୍ତି
ପାଳନ୍ତି ହୋଇ ହରଷ।
ମକରରୁ ଦିନ ବକର ହୁଅଇ
ରାତି ହୋଇଯାଏ ସାନ
ଶୀତଋତୁ ଛାଡେ ଆସ୍ଥାନ ତାହାର
ବସନ୍ତର ଆଗମନ।