ମିତ ଲୋ
ମିତ ଲୋ


ମିତ ଲୋ ମିତ ମିତ ଲୋ ମିତ
ବିତିଗଲା ଦେଢ଼ ବରଷ
ସଜ ହୋଇ ଚାହିଁ ବସିଛି ଦେଖିବି
ବଡଦାଣ୍ଡେ ନନ୍ଦିଘୋଷ
ପ୍ରଭୁ, ମେଣ୍ଟିବ ମୋ ମନ ଶୋଷ l
କପଟ ତ କଲା ରଥ ଜାତ ହେଲା
ଗଲେନି କେହି ଭକତ
ଏକା ଏକା ଭାଇ ଭଉଣୀ ସହିତେ
ଚିହ୍ନିଲୁ ନିଜ ରକତ
ପର କରିଦେଲୁ ଭକତେ କାଳିଆ
ମନେ କି ପାଇଲୁ ତୋଷ l
କପଟ ପଶାରେ ଏ ବରଷ ରଥ
ଏବେଠୁ ବାନ୍ଧି ଦେଲୁଣି
ଅନେଇଁ ବସିଛି ଏ ବର୍ଷ ରଥକୁ
ତାହା କି ଭାଗ୍ୟେ ଦେବୁନି
ଦୋଷ ଥିଲେ କ୍ଷମା କରିଦେବୁ ଜଗା
ହେବ ମୋ ମନ ହରଷ l
ତୋ ରଥ ଦେଖିବି ହାତେ ମୁଁ ଭିଡ଼ିବି
ଚାହିଁ ଚାହିଁ ତୋର ମୁଖ
ଧାର ଧାର ଲୁହ ବୋହି ପଡୁଥିବ
ଆତ୍ମା ପାଉଥିବ ସୁଖ
ଦେଏ ଭାଗ୍ୟେ ମୋର ଏତିକି ଲେଖିରେ
ମେଣ୍ଟିଯିବ ଅବଶୋଷ l