STORYMIRROR

Kabiratna Nutan Kumar Behera

Classics Others

4  

Kabiratna Nutan Kumar Behera

Classics Others

ମିଳଇ ମୁକତି ଶ୍ରୀପଦେ ଧ୍ୟାୟୀ

ମିଳଇ ମୁକତି ଶ୍ରୀପଦେ ଧ୍ୟାୟୀ

1 min
232

 ( ରାଗ -- ବଙ୍ଗଳାଶ୍ରୀ )


ପିତୃସତ୍ୟ ପାଳି    ବନବାସେ ଚଳି

       ସୀତା ରାମ ଲକ୍ଷ୍ମଣ,

ଗୁହକର ସାଥେ   ଭେଟ ହୋଇ ପଥେ

     ଦେଖାଇଲେ ମିତ୍ରପଣ।

ପଞ୍ଚବଟୀ ବନେ    ରହିବାକୁ ମନେ

      ଭାବିଚିନ୍ତି କଲେ ସ୍ଥିର,

ଚଉଦ ବରଷ    ହେଲା ପରେ ଶେଷ

      ଫେରିବେ ଅଯୋଧ୍ୟା ପୁର।

ଶବର ରାଜନ     ରଖି ବନ୍ଧୁ ମାନ

     ନେଇ ଗଲେ ଗଙ୍ଗା ତଟେ,

ଏ କୂଳ ସେ କୂଳ    ଜଳ ତ ଅଥଳ

       ପଡ଼ିଲେ ଯାଇ ସଂକଟେ।

ଡ଼ାକି ନାଉରୀକୁ     ପାରି କରିବାକୁ

      କହିଲେ ବିନୟ ଭାବେ,

ଶୁଣି ସେ ଧୀବର    ହେଲା ନିରୁତ୍ତୋର

      ଚାହିଁ ରହିଲା ନୀରବେ।

ମୌନ ହେବା ଦେଖି    ମନକୁ ପରଖି

      କଥା ଦେଲେ ରଘୁପତି,

ଶ୍ରମ ମୂଲ୍ୟ ପ୍ରାପ୍ୟ   ଦେବେ ସ୍ଵର୍ଣ୍ଣ ରୌପ୍ୟ

       ରହିବ ନାହିଁ ଆପତ୍ତି।

ଶୁଣି ସେ ଧୀବର   ଯୋଡ଼ି ବେନି କର

     ମଥା ନତ କଲା ଆଗେ,

ଶୁଣିଛି ମଣିମା      ତୁମର ମହିମା

      ତୁରିତେ କହିଲା ବେଗେ।

ତୁମ ପଦ ଧୂଳି     କଥା ମନେ ଭାଳି

      କରୁଅଛି କୁଣ୍ଠାବୋଧ,

ମୁରୁଖ ମୁଁ ଛାର      ଅକିଞ୍ଚନ ନର  

       କ୍ଷମାକର ଅପରାଧ।

ହେ ମହାମହିମ    ପାଦ ସ୍ପର୍ଶେ ତୁମ

       ପଥର ହୁଏ ତରୁଣୀ,

ଯଦି ମୋ ତରଣୀ    ହୋଇବ ରମଣୀ  

      ଝରିବ ଆଖିରୁ ପାଣି।

ବୁଡ଼ିବ ଜୀବିକା     କି କରିବି ଏକା

      ପରିବାର ଯିବେ ଭାସି,

କରୁଛି ଗୁହାରି    ପାଦ ଧୋଇ ସାରି

     ପାରି କଲେ ହେବି ଖୁସି।

ଶ୍ରୀପଦ ଯୁଗଳ    ଧୋଇ ସେ ଚଞ୍ଚଳ

    ନେଲା ତାଙ୍କୁ ସେ ପାଛୋଟି,

ନାଆରେ ବସାଇ   ଆର କୂଳେ ନେଇ  

      ପହଞ୍ଚିଲା ସେ ଝଅଟ।

ଧୀବର ଭକତି    ହୃଦେ ଦେଖି ଅତି

    ଶ୍ରୀରାମ ହେଲେ ସନ୍ତୋଷ,

ଭାବଗ୍ରାହୀ ଭାବ     କରି ଅନୁଭବ

     ରଖିଲେ ତାର ବିଶ୍ଵାସ।

ମିଳଇ ମୁକତି     ଶ୍ରୀପାଦେ ଧ୍ୟାୟୀ

      ଯା' ଲାଗି ଜଗତ ବାଇ,

ସେ ଶ୍ରୀପଦ ଦୁଇ   ନାଉରିଆ ଧୋଇ

      ରହିଲେ ଅମର ହୋଇ।

ଭକତ ବତ୍ସଳ      କରନ୍ତି ମଙ୍ଗଳ

      ଭକତ ପାଇଁ ସର୍ବଦା,

ସତ୍ୟଜ୍ଞାନ ଦେଇ    ସୁପଥକୁ ନେଇ

      ହଟାନ୍ତି ମାୟା ପରଦା।

ସେ ପ୍ରଭୁ ଶରଣେ   ଥିଲେ ଅନୁକ୍ଷଣେ

     ଦୂର ହୁଏ ଯେତେ କ୍ଳେଶ,

ଧରି ତାଙ୍କ ନାମ     କରୁଛି ପ୍ରଣାମ

      ଦିଅନ୍ତୁ ସର୍ବେ ଆଶିଷ।।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics