STORYMIRROR

Krushna Chandra Lenka

Classics Fantasy

4  

Krushna Chandra Lenka

Classics Fantasy

ମହାନାୟକ ସୁଭାଷ

ମହାନାୟକ ସୁଭାଷ

1 min
1.3K

ହେ ମହାନାୟକ ଏ ଦେଶ ରକ୍ଷକ

   ଏ' ମାଟିର ମହାବୀର,

ତବ ପରି ଏକ କାହିଁ ଯେ ନାୟକ

   ଏ' ଭାରତ ଦେଶେ ମୋର।

ଜନମି ଉତ୍କଳେ ବଢି ମାଟି କୋଳେ

   ରଖିଲ ଜଗତେ ଯଶ,

ଭାରତ ମାତାର ପୋଛି ଅଶ୍ରୁ ଜଳ

   ଦୂର କଲ ତାର କ୍ଳେଶ।

ପ୍ରତିବେଶୀ ଦୁଃଖେ ଅବା ତାର ଶୋକେ

    ବାଲ୍ୟ କାଳେ ଠିଆ ହୋଇ,

ଦୂର କରି ଭୟ  ହୋଇଚ ସହାୟ

   ଭଲ ମନ୍ଦେ ତାର ଯାଇ।

କେତେରୋଗୀ ମେଳେ ରୋଗ ଶଯ୍ୟା କାଳେ

    ସେବା ଯେ ଦେଇଚ ତୁମେ,

ବାଳୁତ ଜୀବନେ ଏହା ଦେଖି ଜନେ

    ଚକିତ ହୁଅନ୍ତି କ୍ରମେ!

ବାଲ୍ୟ କାଳେ ତବ ଦେଶପ୍ରେମ ଭାବ

   ଜାଗି ଉଠିଥିଲା ମନେ,

ସେପାଇଁ ଏଦେଶେ ସଇନିକ ବେଶେ

   ଲଢ଼ିଥିଲ ଏଠି ଦିନେ।

ଉଚ୍ଚ ଅଧିକାରୀ ପଦ ତ୍ୟାଗ କରି

   ଆସିଲ ଏଦେଶ ପାଇଁ,

ତବ ତ୍ୟାଗ ଆଗେ  ବିଦେଶୀ ଶାସକ

   ଆପେ ଆପେ ଯାଏ ନଇଁ।

ବିଫଳତା ବିନା ସଫଳତା ବାନା

  ଉଡଇ ନାହିଁ ଜୀବନେ,

ପ୍ରମାଣ କରିଣ ଦେଖାଇଲ ତାହା

   ଏଇ ମାଟି କୋଳେ ଦିନେ।

ତବ ଏକ ବାଣୀ ଦେଶ ଜନେ ଶୁଣି

   ହୋଇଥିଲେ ଏଠି ମେଳି,

ମାଟି ମାଆ ପାଇଁ  ଉଠିଥିଲେ ଚେଇଁ

    ଦେବା ପାଇଁ ପ୍ରାଣବଳି।

ମାତ୍ର କେତେ ଦିନେ  ଏ ଭାରତ ଭୂମେ

   ଗଢିଲ ବିଶାଳ ସେନା,

ଅନ୍ୟାୟ ଶୋଷଣ  ଦୂର ହୁଏ ଜାଣ

   ତବ ପାଇଁ ଏଠି ସିନା।

ରକତ ବଦଳେ ସ୍ୱାଧୀନତା ଲୋଡି

  ଭିଆଇଲ ଦେଶପ୍ରେମ,

ସେଇ ଦେଶପ୍ରେମେ ମୋ ଭାରତ ଭୂମେ

   ବୁଡ଼ିଲା ବିଦେଶୀ ନାମ।

ଗାନ୍ଧୀ, ଜବାହର ରାମ ମନୋହର

    ବିନୋବା, ଜୟ ପ୍ରକାଶ

ଗରବେ ବାରତା ଦ୍ୟନ୍ତି ଏଇ ନେତା

   ଧନ୍ୟ ହେ ବୀର ସୁଭାଷ।

ଏ ଦେଶ ନେତୃତ୍ବ ବିଶ୍ୱେ ପରିଚିତ

   କେବଳ ତୁମରି ପାଇଁ,

ସଂଗ୍ରାମ ତୁମର  ଜଗତେ ଅମର

   କଳନା ଯାହାର ନାହିଁ।

ଏ ଭାରତ ମାତା ଝୁରି ତବ ଗାଥା

   ଚାପି ପାରେ ନାହିଁ କୋହ,

ଭାଳି ତବ କଥା ମନେ ପାଏ ବ୍ୟଥା

    ଝରାଏ ନିଇତି ଲୁହ।

ଭାରତ ଜନନୀ ପତାଇ ତା କାନି

   ସଭିଁଙ୍କି ଗୁହାରି କରେ,

ମୋ ସୁଭାଷ ବାରେ କହି ଦିଅ ଥରେ

  କେମନ୍ତ ଗଲା ସେ ଦୂରେ?

ଜନନୀର ବାଣୀ ଦେଶ ଜନେ ଶୁଣି

   କିମ୍ପାଇଁ ଆଜି ମଉନ,

କା'ପାଶେ ଏହାର ଅଛି କି' ଉତ୍ତର

   ସନ୍ଦେହ କର ମୋଚନ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics