ମଧୁର ଶୀତ
ମଧୁର ଶୀତ
ଶୀତଋତୁ ଅନୁଭୂତ ଚାରିମାସ
ହେମନ୍ତେ ମଧୁର ଶୀତ
ଧର୍ମକର୍ମ ସହ ପୁନେଇଁ ପରବ
ଯାନିଯାତ୍ରା ହୋନ୍ତି ମିତ
ଲକ୍ଷ୍ମୀ ମାତା ଆବିର୍ଭୂତ
ଓଡ଼ିଆ ରମଣୀ ଶେରମାଣ ପୂଜି
ହରଷରେ ଗାଏ ଗୀତ ।
ହାଲ୍କା ହାଲ୍କା ଶୀତର ବାସ୍ନାରେ
ହାଲ୍କା ବାସ ଘୋଡ଼ଣୀ
ଦେହରେ ଆବୃତ୍ତ ହାଲ୍କା ବି ଚିତ୍ତ
ତୋଳି ପ୍ରସନ୍ନତା ଧ୍ବନି
ଆବାଳବୃଦ୍ଧବନିତା
ଦୁଃଖୀଟେ ହେଲେ ବି ଯାଇଥାଏ ଚଳି
ନକରି ଟିକିଏ ଚିନ୍ତା ।
ଧୀର ପଦପାତ ଗମନରେ ଶୀତ
ଭୂପ୍ରକୃତି ଶୋଭାମୟୀ
ଘାସ ପତରରେ ଶିଶିର ମୋତିରେ
ସତେ କି ଧରା ହସଇ
ବାଳୁତ ସୂରୁଜ ଆଭା
ତା' ଉପରେ ପଡ଼ି ଦିଶେ ଚିକିଚିକି
ଆହା ! କେଡ଼େ ମନଲୋଭା ।
ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆଦି
ପୁଷ୍ପେ ହସ ଉକୁଟାଇ
ଚହଟାଇ ବାସ ହୁଅନ୍ତି ହରଷ
ଶୀତ ସ୍ବାଗତିକା ଗାଇ
ଗଲାଯାଏ ଶୀତ ନଇଁ
ଧରି ସମ ସ୍ଥିତି ବୃନ୍ତରେ ଦୋଳନ୍ତି
ରଙ୍ଗ ପସରା ମେଲାଇ ।
ଅନ୍ତରେ ହେମନ୍ତ ମାଡ଼ି ଆସେ ଶୀତ
ସତେ କି ବାଘର ପଞ୍ଝା
କାଲୁଆ ବାଆର ହାବୁକା ମାଡ଼ରେ
ଦେହେ କି ବହଇ ଝଞ୍ଜା
ଋତୁଚକ୍ରର ନୀୟମ
ଟାଳି ଦେବାପାଇଁ ସାଧ୍ୟ କା'ର ନାହିଁ
ଯେତେ ଜ୍ଞାନରେ ବି କ୍ଷମ ।