ମାତୃ ଦିବସ ବନାମ ଶାଶୁ ମାଆ ଦିବସ
ମାତୃ ଦିବସ ବନାମ ଶାଶୁ ମାଆ ଦିବସ
ବାହା ହେଲାପରେ ଗାଆଁ ଛାଡିଥିଲି
ଭାରିଜା ବୁଦ୍ଧିରେ ପଡି
ବୋଲକରା ହୋଇ ଉଠୁଛି ବସୁଛି
ନହେଲେ ଦେଉଛି ଝାଡ଼ି ।
ପୁଣି ଦେଖାଉଛି କୋର୍ଟ କଚେରୀ
ଥାନା ନାଲି କୋଠା ବାଡ଼ି
କଥା ନମାନିଲେ ନେଇଯିବ ମୋତେ
ମିଥ୍ୟା ଅଭିଯୋଗ ବାଢ଼ି ।
ବୃଦ୍ଧା ମାଆ ସଙ୍ଗେ ଭାଇ ଓ ଭଉଣୀ
ଅଛନ୍ତି ମୋ ବଂଶ ପିଢ଼ି
ଦେଖିବାକୁ ଦିନେ ଘରକୁ ଯାଇନି
ପାଚିଲାଣି ନିଶ ଦାଢ଼ି ।
କେତେଥର ମାଆ ଖବର ପାଇଛି
କାନ୍ଦୁଛି ସେ ମୁଣ୍ଡ କୋଡ଼ି
ଗାଆଁ ଯିବା କଥା ଶୁଣିଲେ ଘରଣୀ
ଆସେ ଅଦିନିଆ ଝଡି ।
ଇଚ୍ଛା ଥିଲେ ମଧ୍ୟ ଯାଇ ପାରୁନାହିଁ
ବାଟ ମୁଁ ଯାଉଛି ହୁଡ଼ି
କୋପ ତା'ର ସହି ମନକୁ ବୁଝେଇ
ରହିଛି ସହରେ ପଡି ।
ରାକ୍ଷୀ ବାନ୍ଧିବାକୁ ଭଉଣୀ ହାତରୁ
ଯିବାକୁ ହେଲେ ମୁଁ ରେଡି
ଶାଳୀ ଜଗିଥାଏ ଦୁଆର ମୁହଁରେ
ପଛରୁ ଧରେ ମୋ ଭିଡି ।
ଭାଇଟା ମୋହର କଦବା କୋଚିତି
ଆସିଲେ ଘରକୁ ମାଡି
ଭାରିଜାଟି ମୋର ଗରଗର ହୋଇ
ମୁହଁକୁ ଦିଏ ତା ମୋଡି ।
ଶଳା ଯଦି ଆସେ ସହାସ୍ୟରେ ଭାଷେ
ଗୋଡ଼କୁ ଧୀରେ କଚାଡି
ବାର ଅଛି ଆଜି ଆଣିବାକୁ ହେବ
ଦେଶୀ କୁକୁଡାଟେ ମୋଡ଼ି ।
ଭାଇଟା ତାହାର ଭଲ ପାଏ ବେଶି
ନଈର ଦେଶୀ ଚିଙ୍ଗୁଡ଼ି
ଛେଚା କରି ତାକୁ ଚଟଣି କରେ ସେ
ଓଭେନ ଭିତରେ ପୋଡି ।
ମାତୃ ଦିବସରେ ଯିବାକୁ ଭାବିଲି
ମନେ ମନେ ଗଲି ଚିଡି
ସ୍ଥିର କଲି ନିଶ୍ଚେ ଘର ଆଡ଼େ ଯିବି
ସହରକୁ ଆଜି ଛାଡି ।
ମାତୃ ଦିବସଟି ଗାଆଁରେ ପାଳିବି
ମାଆ ମମତାରେ ବୁଡି
ଖାଇବି ଖୁସିରେ ମାଆ ହାତ ରନ୍ଧା
ପଖାଳରେ ଶାଗ ବଡ଼ି ।
ମାଆ ପାଇଁ ଯାଇ ବଜାରୁ ଆଣିଲି
ଖଣ୍ଡେ ପସାପଲି ଶାଢ଼ୀ
ଘରଣୀ ନଜର କେମିତି ପଡିଲା
ଉପରେ ଗଲା ମୋ ଚଢି ।
ବିଦ୍ରୁପ ସ୍ୱରରେ ତାଛଲ୍ଯ କରିଲା
ହାତରୁ ନେଲା ମୋ କାଢି
ପାଖକୁ ଆସିଲା କାନରେ କହିଲା
ରାଗେ ହୋଇ ଭିଡିମୋଡି ।
''ଜାଣିଛ ଦେଖୁଛ ଅନେକ ଦିନରୁ
ମାଆ ମୋ ରହିଛି ପଡି
ମୋ ମାଆ କଣ ତୁମ ମାଆ ନୁହେଁ
ଯିଏ ତୁମ ଶାଶୁ ବୁଢ଼ୀ ।
ଅଯଥାରେ କାହିଁ ଘରକୁ ଯିବାକୁ
ଛାଡୁଅଛ ଭେମା ରଡି
ଶାଶୁ ମାଆ ନାମେ ଦିବସ ପାଳିବା
ଖାଇବା ଖିରି ଖେଚୁଡ଼ି ।
