ମାଆ ମୋ ମାଆ...
ମାଆ ମୋ ମାଆ...
ମାଆ ମୋ ମାଆ (ଘୋଷା)
ସରଗୁ ସୁନ୍ଦର ମହୁଠୁଁ ମଧୁର
ଅତି ଆପଣାର ନାଆଁ ।
ମାଆ ମୋ ମାଆ ( ଘୋଷା)
ନାନାବାୟା ଗୀତ ଗାଇ ଶୁଆଇଛୁ
ନିଦ ନ ଲାଗଇ ଯେବେ ,
ଜହ୍ନକୁ ଦେଖେଇ ଖୁଆଇଛୁ ମୋତେ
ଭୁଲି କି ପାରିବି କେବେ?
ଅବୁଝା ହୋଇଲେ କୋଳେଇ ନେଇ ତୁ
କହୁ ଧନ ବୁଝି ଯାଆ ...
ମାଆ ମୋ ମାଆ ( ଘୋଷା)
ଆକାଶଠୁଁ ବଡ଼ ସାଗରୁ ଗଭୀର
ଅତି ଆପଣାର ନାଆଁ ।
ମାଆ ମୋ ମାଆ ( ଘୋଷା)
ହାତ ଧରି ତୋର ଚାଲିବା ଶିଖିଛି
ଓଠରେ ଦେଇଛୁ କଥା,
ମଣିଷ ପରିକା ମଣିଷ କରୁଛି
ଟେକି ଚାଲେ ଆଜି ମଥା,
ତୋ ପଣତ ଥିଲେ ଡର ନାହିଁ ମୋର
ଝଡ଼ ବରଷା କି ବାଆ ....
ମାଆ ମୋ ମାଆ ( ଘୋଷା)
ହିମଠୁଁ ଶୀତଳ ଗଙ୍ଗାଠୁଁ ପବିତ୍ର
ଅତି ଆପଣାର ନାଆଁ ।
ମାଆ ମୋ ମାଆ ( ଘୋଷା)
ଅନ୍ତରରେ ତୋର କେତେ ଯେ ବେଦନା
ମୁଖ ସଦା ହସହସ,
ନିଜେ ଦୋଷୀ ହୋଇ ମୋ ଦୋଷ ଲୁଚେଇ
ପାଇଛୁ କି ଅବା ଯଶ
ଠାକୁର ପାଖରେ ଏତିକି ଗୁହାରି
ସଦା ମୋର ସାଥେ ଥାଆ ....।