ଲୁହର ତୁଳନା
ଲୁହର ତୁଳନା
ଲହୁରେ ଲେଖିଛି ଏଇ "ଶେଷ ଚିଠି"
ହୃଦୟଟା ଯାହା ହେଉଛି କୋରି
ବାହୁନି କାନ୍ଦୁଛି ଅବୁଝା ଏ ସ୍ମୃତି
ଆଖିର ଲୁହରେ ଯାଏ ବତୁରି ।
ପାରୁନି ପଠେଇ ଲେଖୁଛି ଫିଟେଇ
ବନ୍ଦ ଲଫାପାରୁ ଅଧୁରା ଚିଠି
ଯେତେ ଲେଖିଲେ ବି ଲେଖା ତ ସରୁନି
ସରିଲାଣି ସ୍ୟାହି ଲେଖନୀ କାଠି ।
ନିଜ ଠୁଁ ନିଜର ଅତି ଆପଣାର
ସିଏ ପ୍ରେମିକା ମୁଁ ପ୍ରେମୀ ପ୍ରବର
ଲାଜେ ଲୁଚେ ଜହ୍ନ ଦେଖି ତାର ମୁହଁ
ଗୁଣରେ ସରି କେ ନ ହେବେ ତାର ।
କହି ମୁଁ ପାରୁନି ଭୁଲି ବି ପାରୁନି
ତା' ସାଥେ ଯାହା ଯାଇଛି ବିତି
ସହି ମୁଁ ପାରେନା ବିରହ ଯାତନା
ଚିଠି ଲେଖା ମୋର ହେଉନି ଇତି ।
କରି କେଉଁ ଦୋଷ ହୁଏ ମୁଁ ହତାଶ
ଅବୁଝା ନୁହେଁ ସେ ମୋ ପ୍ରାଣ ସଖୀ
ଲୁହର ବାଡ଼ରେ ଲୁହା ଶିକୁଳିରେ
ଫୁଲେଇ ପ୍ରିୟା ମୋ ଯିବଣି ଶୁଖି ।
ଚାନ୍ଦର ଜୋଛନା ନୁହଁଇ ତୁଳନା
ମୋ ପ୍ରେମିକା ପ୍ରୀତି ଶୀତଳ ଛୁଆଁ
ସିଏ ତ ରୂପସୀ ରୁପା ତାରକସି
ଯେତେ ଦେଖିଲେ ବି ଲାଗଇ ନୂଆଁ ।
ଲେଖିଛି ଯତନେ ହୃଦୟ ଗହନେ
ଅକୁହା କଥା ମୋ ଆହୁରି ବାକି
ଶେଷ କଥା ମୋର ଶେଷ ରହିଗଲା
ଏଇ "ଶେଷ ଚିଠି" ରହିଲା ସାକ୍ଷୀ ।।