ଲକ ଡାଉନରେ ଲକ୍ (ଭାଗ୍ୟ)
ଲକ ଡାଉନରେ ଲକ୍ (ଭାଗ୍ୟ)


ଆଜକୁ ତିନିବର୍ଷ ହେଲାଣି ଆକାଶ ମେଡିକାଲ କୋଚିଂ ନେଲାଣି, ବାରମ୍ବାର ଅଳ୍ପ କେତେ ବ୍ୟବଧାନରେ କଟିଯାଉଛି। ଏ କମ୍ପିଟେଟିଭ୍ ଏକଜାମ କ'ଣ ଏତେ ସହଜ କି? କି..ହୋ ହଜାର ପୋଷ୍ଟ ବାହାରିଲେ ଲକ୍ଷ ଲକ୍ଷ ପ୍ରାର୍ଥୀ ଆପ୍ଲିକେସନ ପକାଉଛନ୍ତି, ଇଏ ତ ପୁଣି ଅଲ ଇଣ୍ଡିଆ ନିଟ୍ ଏକଜାମ। ଏଇ ତିନି ବର୍ଷରେ ସେ କଠୋର ପରିଶ୍ରମ କରିଛି ପୁଣି ଭାଗ୍ୟ ସାଥ ଦେବାର ଅଛି, ଏଥର ତାକୁ ଆଉଟିକେ ଅଧିକ କଠୋର ପରିଶ୍ରମ କରିବାର ଅଛି, ତେଣିକି ଯାହା ଭାଗ୍ୟରେ ଲେଖା।
ପ୍ଲସ ଟୁ ରେ ଭଲ ନମ୍ବର ରଖି ପାସ କରିଥିବାରୁ ଘରଲୋକଙ୍କ ଆଶା ଥିଲା ପୁଅ କେମିତି ଏକ ଡାକ୍ତର ହେବ। ଡାକ୍ତରଙ୍କର ସମାଜରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠା ଏବଂ ସମ୍ମାନ ଅଛି। ସମସ୍ତେ ଚାହାଁନ୍ତି ତାଙ୍କ ପୁଅ ଝିଅ ଗୋଟେ ଡାକ୍ତର, ଇଞ୍ଜିନିୟର କିମ୍ବା ଏକ ବଡ ଅଫିସର ହେଉ,ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରୁ, ସମାଜରେ ମାନ ,ସମ୍ମାନ ପାଉ ଇତ୍ୟାଦି ଇତ୍ୟାଦି, ଆକାଶର ବାପା, ମା ଓ ପରିବାର ଲୋକେ ମଧ୍ୟ ସେପରି ଚାହୁଁଥିଲେ ।ସମୟ ଗଡି ଗଡି ଯାଉଛି, ଏମିତିରେ ତ ତିନିବର୍ଷ ବିତିଗଲାଣି ।ବାପାଙ୍କର ଧର୍ଯ ଚ୍ୟୁତ ହେବାକୁ ବସିଲାଣି! କିଏ ହେବେନି ବା କେମିତି ? ବର୍ଷକୁ ରହିବା, ଖାଇବା କୋଚିଂ ବାବଦରେ ଦୁଇଲକ୍ଷ ପାଖାପାଖି ଖର୍ଚ କରୁଛନ୍ତି।
ଦିନେ ଆକାଶର ବାପା ତାକୁ ଡାକି ପଚାରନ୍ତି ,ଦେଖ ପୁଅ ମୋର ତ ଏତେ ସମ୍ବଳ ନାହିଁ ଯେ ମୁଁ ବର୍ଷ ବର୍ଷ ଧରି ତତେ ଏମିତି ମେଡିକାଲ କୋଚିଂ ଦଉଥିବି ।ଆଶା ତ ଅଛି, ତୁ ଏମବିବିଏସ କରି ଏକ ଡାକ୍ତର ହେବୁ କିନ୍ତୁ ଅର୍ଥ ତ ବାଧକ ସାଜିଛି, ପଇସା ଥିଲେ ତତେ କଣ ପ୍ରାଇଭେଟ୍ ମେଡିକାଲ କଲେଜରେ ପଢାଇନଥାନ୍ତି !ହେଲେ ଚାଳିଶି ପଚିଶ ଲକ୍ଷ ଟଙ୍କା କୋଉଠୁ ଆଣିବି ଯେ ତତେ ପ୍ରାଇଭେଟ୍ କଲେଜରେ ପଢେଇବି? ଗଭର୍ଣ୍ଣମେଣ୍ଟ କଲେଜ ମିଳିଲେ କମ ଟଙ୍କା ଖର୍ଚ୍ଚ ହେବ ଏବଂ ତୁ ଡାକ୍ତର ମଧ୍ୟ ହେବୁ ଏଇ ଆଶା ଆମମାନଙ୍କର ଥିଲା କିନ୍ତୁ ଏଇ କମ୍ପିଟେଟିଭ୍ ଏକଜାମ କ୍ରାକ କଲେ ତ! ହଉ ଦେଖ୍ ଏବର୍ଷ ମନ ଧ୍ୟାନ ଦେଇ ପଢ ନହେଲେ ଆସନ୍ତାକୁ ଗ୍ରାଜୁଏସନ କରିଦେବୁ, ନା କଣ କହୁଛୁ?
ଆକାଶ -
ତମେ କଣ ଭାବୁଛ ବାପା ମୁଁ ପରିଶ୍ରମ କରୁନି? କରୁଛି ..କିନ୍ତୁ ଭାଗ୍ୟ ସାଥ ଦଉନି ,ଆଉ ବି ଗୋଟେ କଥା ଯେ ମୋର ରିଜରଭେସନ ନାହିଁ। ଏଇ ରିଜରଭେସନ ଲାଗି ତ ମୋଭଳି ବହୁତ ମେଧାବୀ ଛାତ୍ରଛାତ୍ରୀ ବଳି ପଡୁଛନ୍ତି ଏବଂ ରିଜରଭେସନ କୋଟାରେ ବହୁତ ଅଣମେଧାବୀ ଛାତ୍ରଛାତ୍ରୀ ଏକଜାମ କ୍ରାକ କରିବାରେ ସଫଳ ହେଉଛନ୍ତି।
ଆକାଶର ବାପା -
ହଉ ହେଲା, ଆମର ତ ରିଜରଭେସନ ନାହିଁ, ତୁ କିପରି ବିନା ରିଜରଭେସନରେ ଭଲ କରିବୁ ସେଇଟା ଚିନ୍ତା କର।
ଆକାଶ -ହଁ ବାପା, ଏଥର ନିଶ୍ଚିତ ହେବ ବୋଲି ମୁଁ ଭାବୁଛି ।
ଆକାଶର କୋଚିଂ ଠିକ୍ ଠାକ୍ ଚାଲୁଥାଏ। ଖବର ଆସିଲା କି ଏକ ଅଜଣା କରୋନା ଭୂତାଣୁ ଚାଇନାରେ ଆରମ୍ଭ ହୋଇ ଭାରତ ଛୁଇଁଲାଣି ଏବଂ କେତେକ ଲୋକ ଯେଉଁମାନେ ବାହାର ଦେଶରୁ ଫେରୁଥିଲେ, ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେଣି। ଭାରତ ସରକାର ମଧ୍ୟ ତତ୍ପର ହେଲେଣି ନିଜ ଦେଶର ଲୋକଙ୍କ ସୁରକ୍ଷା ପାଇଁ। ସବୁଠୁ ବଡ କଥା ହେଲା ଏ ଭୁତାଣୁର ପ୍ରତିଷେଧକ ଏପର୍ଯ୍ୟନ୍ତ ବାହାରି ନାହିଁ ଏବଂ ସାରା ବିଶ୍ୱରେ ବିଭିନ୍ନ ଦେଶ ଲକଡାଉନ ଓ ସଟଡାଉନକୁ ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଛନ୍ତି। ଏ ଭୂତାଣୁ ମଣିଷ, ମଣିଷର ସଂସ୍ପର୍ଶରେ ଆସିଲେ ବ୍ୟାପୁଛି ତେଣୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏବଂ ଏ ଭୂତାଣୁକୁ ଅଧିକ ନ ବ୍ୟାପିବା ପାଇଁ ଏଇ ଲକଡାଉନ, ସଟଡାଉନ ଜରୁରୀ ହେଲା। ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଲା। ଏହି ନିର୍ଦ୍ଦେଶାନୁସାରେ ଆକାଶର କୋଚିଂ ସେଣ୍ଟର ମଧ୍ୟ ବନ୍ଦ ହୋଇଗଲା ଏବଂ ଆକାଶ ମଧ୍ୟ ତାର ବ୍ୟାଗପତ୍ର ବାନ୍ଧି ଗାଁକୁ ପଳେଇଆସିଲା।
ଆକାଶ ନିଜର ପଢାପଢି ଘରେ ରହି କରିଲା। ପ୍ରଥମେ ସାରା ଦେଶରେ ଦୀର୍ଘ ଏକୋଇଶି ଦିନର ଲକଡାଉନ କରାଗଲା। ଏଇ ପ୍ରଥମ ଲକଡାଉନରେ ଅଖ ଚକ, କଳକାରଖାନା, ଦୋକାନ ବଜାର, ପାର୍କ ,ହୋଟେଲ ,ଲୋକଙ୍କ ଜୀବନ, ଜୀବିକା ସବୁକିଛି ଏଇ ଏକୋଇଶି ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଲା। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବା ଉପଲବ୍ଧ ହେଲା। ଲୋକମାନଙ୍କର ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଗଲା ।ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷାକରିବା ପାଇଁ କୁହାଗଲା। ଏ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଗଲା।
ଘରେ ରହି ଆକାଶ ତାର ପଢାପଢି କାମ ଚାଲୁ ରଖିଥାଏ ଏଣେ ବିଭିନ୍ନ ପ୍ରକାରର ଚିନ୍ତା ତାକୁ ବ୍ୟତିବ୍ୟସ୍ତ କରି ପକାଉଥାଏ। ବେଳେବେଳେ ସେ ଭାବୁଥିଲା ଏଇ କରୋନା ଭୂତାଣୁ ରୂପକ ଗ୍ରହଣ ତାର ଲକ୍(ଭାଗ୍ୟ)
କୁ କିପରି ଗ୍ରାସ କରିପକାଇଲା। ଏଇ ଲକଡାଉନ ଯେପରି ବନ୍ଦ ହେବାର ନାଁ ଧରୁନଥିଲା ,ଲକଡାଉନ ୱାନ ପରେ ଲକଡାଉନ ଟୁ, ଥ୍ରୀ, ଫୋର କୁ ନେଇ ପାଖାପାଖି ପଚାଶ ଦିନର ଲକଡାଉନ ସାରାଦେଶରେ ହେଲା। ସାରା ଦେଶର ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସବୁକିଛି ବନ୍ଦ ହୋଇ ରହିଲା। ଦେଶର ଲକ୍ଷ ଲକ୍ଷ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଗଲା ।ଆକାଶ ଓ ତାର କିଛି ସାଙ୍ଗ ମାନଙ୍କ ଭବିଷ୍ୟତ ମଧ୍ୟ ବର୍ତ୍ତମାନ ଅନ୍ଧାର ଭିତରେ। ଆକାଶର କ୍ଲାସମେଟ ସାଙ୍ଗ ବିଦ୍ୟାଧରର ମଧ୍ୟ ସମ ଦଶା।
ଆକାଶ ପରି ବିଦ୍ୟାଧର ମଧ୍ୟ ଗାଁକୁ ଆସିଛି। ବିଦ୍ୟାଧର ଭୁବନେଶ୍ବରରେ ରହି ଜେଇଇ କୋଚିଂ ନେଉଥିଲା, ସେ ମଧ୍ୟ ଲକଡାଉନର ନିର୍ଦେଶାନାମାରେ କୋଚିଂ ସେଣ୍ଟର ବନ୍ଦ ହେବାରୁ ଗାଁକୁ ଆସିଛି। ଆକାଶର, ବିଦ୍ୟାଧର ସହ ଦେଖା ହୁଏ। ଦୁହେଁ ଦୁହିଁଙ୍କର ହୃଦୟର ବ୍ୟଥା ବଖାଣନ୍ତି। ଦୁହିଁଙ୍କର ଡାକ୍ତର ଓ ଇଂଜିନିୟର ହେବାର ସ୍ୱପ୍ନ କିପରି ଏଇ ଲକଡାଉନରେ ପେଶୀ ହୋଇ ଯାଇଛି ସେ ବିଷୟରେ ଦୁହିଁଙ୍କ ଭିତରେ ଆଲୋଚନା ହୁଏ। ଅନିଶ୍ଚିତତା ଭିତରେ କିପରି ସେମାନଙ୍କ ଦିନଗୁଡ଼ିକ ଗତି କରୁଛି ସେ ବିଷୟରେ ଦୁହିଁଙ୍କ ଭିତରେ ଆଲୋଚନା ହେଲା। ଆକାଶ କହେ ବିଦ୍ୟାଧରକୁ, ଏ ବର୍ଷ ଭାବିଥିଲି ଭଗବାନଙ୍କ କୃପାରୁ ନିଟ୍ କ୍ୱାଲିଫାଏ କରିବାକୁ ହେଲେ ଭାଗ୍ୟର ବିଡ଼ମ୍ବନା ତ ଦେଖ ଏ ବର୍ଷ ପରୀକ୍ଷା ହେବ ନା ନାହିଁ ସନ୍ଦେହ। ଯେପରି ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି ଏ ବର୍ଷ ପରୀକ୍ଷା ହେବ ବୋଲି ସନ୍ଦେହ ଲାଗୁଛି। ବିଦ୍ୟାଧର କହେ ହଁରେ ସାଙ୍ଗ ମୋ ଅବସ୍ଥା ବି ତୋ ଭଳିଆ। କଣ କରିବା, କର୍ମ କରି ଚାଲିବା ଆଉ ଭାଗ୍ୟକୁ ଆଦରି ରହିବା।
ଏହା ଭିତରେ ଆକାଶ ଘରକୁ ଆସିବାର ପାଖାପାଖି ତିନି ମାସ ହେଇଗଲାଣି। ସରକାର ଧିରେ ଧିରେ ସବୁକିଛି ସ୍ୱାଭାବିକ କରିବାକୁ ବସିଲେଣି। ଆକାଶ ଭାବୁଥିଲା, ଆରେ କଳକାରଖାନା, ବିଭିନ୍ନ ଅଫିସ ,ହାଟ ବଜାର ସବୁ ତ ଖୋଲିଲାଣି ହେଲେ ସରକାର ଏ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର କାହିଁକି ଖୋଲୁନାହାନ୍ତି, କୋଭିଡ ନିୟମ ପାଳନ କରି ଏ ସବୁ ବି ଖୋଲା ଯାଇ ପାରିବ। କେତେକ ବିଶ୍ୱବିଦ୍ୟାଳୟ ଅନଲାଇନ ଏକଜାମ କରିବା ପାଇଁ ମଧ୍ୟ ଅଣ୍ଟା ଭିଡିଲେଣି କିନ୍ତୁ ସେ ସବୁ ହୋଇ ପାରିଲେ ତ? କେତେକ କଲେଜ ପୁର୍ବ ସେମିଷ୍ଟାର ଆଧାରରେ ଫାଇନାଲ ସେମିଷ୍ଟାର ରେଜଲ୍ଟ ଘୋଷଣା କରିବାକୁ ନିଷ୍ପତ୍ତି ନେଲେଣି। ଏପଟେ ଦେଶରେ କୌଣସି ପ୍ରବେଶିକା ବା ଏନ୍ଟ୍ରାନ୍ସ ଏକଜାମ୍ ହେବା ପାଇଁ ଏପର୍ଯ୍ୟନ୍ତ ନୋଟିସ୍ ବାହାରି ପାରିଲା ନାହିଁ।
ଲକଡାଉନରେ ଆକାଶର ଲକ୍ ମଧ୍ୟ ଲକଡାଉନ ହୋଇଯିବ ବୋଲି ସେ କେବେ ବି ଭାବିନଥିଲା। ଏମିତିରେ କେତେ ପ୍ରବେଶିକା ପରୀକ୍ଷା ବାତିଲ୍ ହେବାକୁ ବସିଲାଣି ଯାହା ତାର ଚିନ୍ତାର କାରଣ ହୋଇଛି। ପୁଅର ଅବସ୍ଥା ଦେଖି ଆକାଶର ବାପା ତାକୁ ପାଖକୁ ଡାକି କହିଲେ, ଆରେ ପୁଅ ଆମର ଓଡ଼ିଆରେ ଗୋଟେ କଥା ନାଇଁ "କର୍ମ ଆଦରି ସହି ଦୁଃଖ, କେବେ ହେଁ ନୋହିବୁ ବିମୁଖ " ତାର ଅର୍ଥ ହେଲା ଆମେ ଆମର କର୍ମ କରି ଚାଲିବା, କର୍ମ କରିବାରେ ମଧ୍ୟ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ, ତଥାପି ସେ ସବୁ ସହି ଆମକୁ ଆଗକୁ ବଢିବାକୁ ହେବ, ଆମ କର୍ମରୁ ଆମେ ବିଚ୍ୟୁତ ହେବା ନାହିଁ। ଭାଗ୍ୟ ଉପରେ ତ ଆମର ଅଧିକାର ନାହିଁ କେବଳ ଆମେ କିପରି ସୁକର୍ମ କରି ପାରିବା ତାହା ଉପରେ ହିଁ ଆମର ସମ୍ପୂର୍ଣ୍ଣ ଅଧିକାର ଅଛି ତେଣୁ ତୁ ତୋର କର୍ମ କରିଚାଲେ ।
ବାପାଙ୍କ ଠାରୁ ଏତେ କଥା ଶୁଣିବା ପରେ ଆକାଶ ନିଜକୁ ନିଜେ ସାନ୍ତ୍ଵନା ଦେବାକୁ ଲାଗିଲା ଭାବିଲା ଏଇ ପରୀକ୍ଷା, ନିଜର ଲକ୍, ଲକଡାଉନ ଏ ସବୁ ବିଷୟରେ ଇଆଡୁ ସିଆଡୁ ଭାବି ଟେନସନରେ ରହିବାର ନାହିଁ। ଏକଜାମ ହେଲେ ହେବ ନହେଲେ ନାହିଁ, ଏବର୍ଷ ନହେଲେ ଆସନ୍ତାକୁ ଦେଖିବା। ମୋ ଭଳି ହଜାର ହଜାର ପିଲା ନିଟ୍ ଏକଜାମ୍ ଦେବାକୁ ଅପେକ୍ଷା କରିଥିବେ।। ଏମିତି ନିଜକୁ ନିଜେ ବୁଝାଇ ଦେଇ କେତେ ଦିନ ପଢାପଢି ଠିକ୍ ଠାକ୍ କରୁଥାଏ ତ ପୁଣି ବେଳେ ବେଳେ ମୁଣ୍ଡ ଟିଣ ହୋଇ ଯାଉଥାଏ। ଆକାଶ ବି ଭଲ ଭାବେ ଜାଣିଛି ଯେ ଯିଏ ଯାହା କହୁ, ସିଏ ନିଜକୁ ନିଜେ ଯେତେ ବୁଝାଉ ତଥାପି ତାର ଅବୁଝା ମନ ମାନିବ ନାହିଁ।
ଆକାଶ ପରି ଯେ କେତେ ପିଲାଙ୍କ ଭାଗ୍ୟ, ଭବିଷ୍ୟତ ଏଇ ଲକଡାଉନରେ ପେଶୀ ହୋଇ ଯାଇଛି ଏବଂ ଅନିଶ୍ଚିତତା ମଧ୍ୟରେ କେତେ ପିଲା ଗତି କରୁଛନ୍ତି ତାର କଳନା ନାହିଁ। ଆକାଶର ଡାକ୍ତର ହେବାର ଆଶା ଏବେ ବି ସତେଜ ଅଛି। ଡାକ୍ତର ହେବା ତାର ଜୀବନର ଲକ୍ଷ୍ୟ। ଜୀବନର ଲକ୍ଷ୍ୟକୁ ପୁରଣ କରିବା ପାଇଁ ମଣିଷ ବେଳେ ବେଳେ ନିଜର ପ୍ରାଣ ମଧ୍ୟ ଦେଇ ଦେଇଥାଏ ଏବଂ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥାଏ । ଆକାଶର ଲକ୍ ଏବେ ବି ଉଜ୍ଜୀବିତ ହୋଇ ରହିଅଛି ଖାଲି ଯାହା ଏଇ ଲକଡାଉନ କେତେ ଦିନ ପାଇଁ ତାର ଲକ୍ (ଭାଗ୍ୟ)ରେ ଲକ (ତାଲା) ପକାଇ ଦେଇଛି।