କୁମ୍ଭୀର
କୁମ୍ଭୀର
ମୁଁ ଉପକୂଳିଆ ମୁଁ କେନ୍ଦ୍ରାପଡ଼ିଆ
ପରିଚୟ ଅଟେ ମୋର,
କିନ୍ତୁ ଏଠିକାର କୁମ୍ଭୀର କୁହନ୍ତି
କେନ୍ଦ୍ରାପଡ଼ା ତାଙ୍କ ଘର।
ଆମଘର ସିନା ସମୁଦ୍ର କୂଳରେ
ତାଙ୍କ ଘର ଭିତିରିରେ,
ଆମେ ଲାଗୁଥାଉ ନିଜ ଦୁଃଖେ କିନ୍ତୁ
ସେମାନେ ଦାଦାଗିରିରେ।
ଆମରି ଭିତରୁ କେତେ ଖସିଲୁଣୁ
ଦୁର୍ଦ୍ଦାନ୍ତ କୁମ୍ଭୀର ମୁହେଁ,
ଗାଈଗୋରୁ ଛେଳି ମେଣ୍ଢାଙ୍କ ହିସାବ
ରଖିବା ପାରୁଛି କିଏ?
ଆମ ଲକ୍ଷ୍ୟ ଆଜ୍ଞା ପାଞ୍ଚମଣିଷରେ
ଜଣେ ଜଣେ ଏଠି ହେବୁ,
କିନ୍ତୁ କୁମ୍ଭୀରର ଟାର୍ଗେଟ ଆମକୁ
ଏକଥା କାରେ କହିବୁ?
ତାସ୍ ଖେଳୁ ଖେଳୁ ଗାଆଁ ମଝିଟାରୁ
ଆମ ନଟ ଦାଦିଟିକୁ,
କୁମ୍ଭୀର ଘୋଷାଡି ନେଇଖାଇଗଲା
କେମିତି ଭୁଲିବୁ ତାକୁ?
ଧନ୍ୟ ଏ ଆଇନ୍ ଆମେ ଅଛୁ ମାନି
ବନ୍ୟ ଜୀବଜନ୍ତୁ ପାଇଁ,
ତାଙ୍କୁ ଯେ ମାରିବ ଜେଏଲ ଭୋଗିବ
ନନ୍ବେଲ କେଏସ ଖାଇ।
କୁମ୍ଭୀର ମଣିଷ ବଅଁଶ ବୁଡାଉ
ତାକୁ ଜେଲ୍ଫେଲ୍ ନାହିଁ,
ଆମପାଇଁ କିନ୍ତୁ କଠୋର ଆଇନି
ଧନ୍ୟ ହେ ସର୍କାର ଭାଇ।
ଗାଆଁ ମଝିଟାରେ ବୁଲନ୍ତି କୁମ୍ଭୀର
ଯେମନ୍ତେ ଷଣ୍ଢ ବୁଲୁଛି,
ବିନା ଲାଇସେନ୍ସ ଗ୍ୟାଙ୍ଗଷ୍ଟର ସିଏ
କାହାକୁ ଖାତିର ଅଛି?
ନଈନାଳ ଏବେ ଆମ ପାଇଁ ମନା
କୁମ୍ଭୀର ସତର୍କ ବାଣୀ,
ସାବଧାନ ଥିବ କୁମ୍ଭୀର ମାଇଲେ
କେହି ଦାୟୀ ରହିବେନି।
ରେଳ ମାଡିଯିବା ଘଟଣା ଭଳିଆ
କୁମ୍ଭୀର ବାବୁଙ୍କ କାର୍ଯ୍ୟ,
ଛୁଆପିଲା ଗୋରୁ ଗାଈ ଧରି ଆମେ
ହେଉ ଯାହା ଦଅଗଞ୍ଜ।
ଧନ୍ୟ ହେ ବିଧାତା ଉପକୂଳବର୍ତ୍ତୀ
ମଣିଷ ଆମକୁ କଲୁ,
ସବୁ ବାତ୍ୟା ବନ୍ୟା କୁମ୍ଭୀର ଉତ୍ପାତ
ଆମରି ଭାଗ୍ୟେ ଲେଖିଲୁ।
ବଉଳା,ଗୋମୁହାଁ,ଗୋରୀ କି ଥଣ୍ଟିଆ
କୁମ୍ଭୀର ମାନଙ୍କ ଜାତି,
କିନ୍ତୁ ଆଉ ଗୋଟେ କୁମ୍ଭୀର ଜାତିଟା
ଓଡିଶାରଜ ବୁଲୁଛନ୍ତି।
ଟଙ୍କା ଗୋଡ଼ି ବାଲି ଅଙ୍ଗନ୍ଓ୍ଵାଡି ଡାଲି
ଔଷଧଦାନା ଖାଆନ୍ତି,
ଏସିଘରେ ରହି ନିତି ହସୁଥାନ୍ତି
ରାଜସ୍ବ ଲୁଟିନିଅନ୍ତି।
ସେ କୁମ୍ଭୀର ସିନା କେତୋଟି ମୁହୂର୍ତ୍ତେ
ଆମ ପ୍ରାଣ ନେଇଯାଏ,
ଏ କୁମ୍ଭୀର କିନ୍ତୁ ଆମକୁ ମାରନ୍ତି
ଆମେ ବଞ୍ଚିଥିବା ଯାଏ।
ପାଣି କୁମ୍ଭୀରଙ୍କ ଠାରୁ ଭୟଙ୍କର
ଭିଆଇପି କୁମ୍ଭୀର ମାନେ,
କୁମ୍ଭୀର ମରଣଠାରୁ ସାଙ୍ଘାତିକ
ମୃତ୍ୟୁ ଦିଅନ୍ତି ଏମାନେ।
ଏଠାରେ କୁମ୍ଭୀର ଦେଖ ମାଳମାଳ
ଆଁ କରି ରହିଛନ୍ତି,
ମଉକା ମିଳିଲେ ଝାମ୍ପ ମାରି ଦେଇ
ଗୋଟାପଣେ ଗିଳିଦ୍ଯନ୍ତି।
ରାସ୍ତା ଖାଇଗଲେ ଭତ୍ତା ଖାଇଗଲେ
ଖାଇଗଲେ ପକ୍କାଘର,
ଛୋଟା କାଉ ଏଠି ପାଉନି ଆହାର
ଯୋଜନା କିନ୍ତୁ ପ୍ରବଳ।
କୁମ୍ଭୀର ଦାଉରୁ ଆମ କେନ୍ଦ୍ରାପଡ଼ା
ଉଧେଇ ପାରୁନି ଆଉ,
ବିଦେଶୀ କୁମ୍ଭୀର ରାଜୁତି କରନ୍ତି
ହୋଇ ଖାଲି ରାଉରାଉ।
(ତଣ୍ଟିଏ ପାଣିକୁ ଗଲି ମୁହିଁ ବାପା
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି,
କୁମ୍ଭୀର କାହାଣୀ ଏଇଟା ଲୋ ଝିଅ
ମାଆ ତୋ କଳମ ଖାଇଛି।
କୁମ୍ଭୀର କାହାକୁ ଦିଏ ନାହିଁ କିଛି
ଯୋଜନାର ଜାଲ ବୁଣିଛି,
ମାଙ୍କଡକୁ ନେଇ ଗଭୀର ଜଳରେ
କଲିଜା ଖାଇବ ଭାବିଛି।)
କାରଖାନାଗୋଟେକରେଇ ଦେଲେନି
ଧନ୍ୟ ଏ କୁମ୍ଭୀର ଜାତି,
ଜିଲ୍ଲା ତାଲିକାରେ ତିରିଶି ନମ୍ଵର
କେନ୍ଦ୍ରାପଡ଼ା ନାଁ ଅଛି।
ବାଟେ ଘାଟେ ବାରି ପଛପଟେ ଦେଖ
କୁମ୍ଭୀରଙ୍କ ପ୍ରେମ ଲୀଳା,
ସବୁ ଦେଖୁଥିବ କେ ପାଟି ଖୋଲିବ
ନେବା ପାଇଁ ବ୍ରହ୍ମକୀଳା?
କୁମ୍ଭୀର ମାନଙ୍କ ଗହଣରେ ଥାଇ
ଭୟରେ କାଟୁଛୁ ଦିନ,
ଏଭଳି ବିପଦୁଁ ଉଦ୍ଧାର କର ହେ
ପ୍ରଭୁ ରେବତୀ ରମଣ।
