STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

କଟକି‌ ମଶାଙ୍କ ଟ୍ରେନିଂ

କଟକି‌ ମଶାଙ୍କ ଟ୍ରେନିଂ

2 mins
289


କଟକର ବଡ ମେଡିକାଲ କଡ଼

   ପ୍ରାଚୀର ପାଖର ଦୃଶ୍ୟ,

ନିଃଶବ୍ଦ ରାତିରେ ଚାରିଗୋଟି ମଶା

   ଉଠେଇ ନେଲେ ମଣିଷ।

ଶୂନ୍ୟେ ଶୂନ୍ୟେ ଏକ ମଣିଷ ଉଡୁଛି

   ଦେଖିଲେ ପୋଲିସ ଫୋର୍ସ,

ଗୋଡେଇଗୋଡେଇ ପହଞ୍ଚିଲେ ଯାଇ

    ଟ୍ରେନିଂ ସେଣ୍ଟର୍ ପାଶ।

ହଜାର ହଜାର ମଶା ଭଣଭଣ

    କିଏ କେତେ କିସମର,

କିଏ ସେ ସହରୀ କିଏ ସେ ଗାଉଁଲୀ

    ନାଳ ନର୍ଦ୍ଦମା କା' ଘର।

କେ ଆସିଛି ଛାଡ଼ି ଗାଁ ବାଉଁଶ ବାଡ଼ି

    କିଏ କାହା ଲାଟିନିରୁ,

କିଏ ଆସିଅଛି ଏସ୍‌ ପି କ୍ଵାର୍ଟରରୁ‌

    କିଏ ବି ଡ଼ିଜିଙ୍କ ଘରୁ‌।

କଲେକ୍ଟର ଘର ଭିଆଇପି ମଶା

    ଟ୍ରେନିଂ ସେ ଦେଉଥାଏ,

ମୁନିସି‌ ପାଲିଟି‌ ମଶାଙ୍କ ଚିଆର

    ମଞ୍ଚ ତଳେ ପଡ଼ିଥାଏ।

ଟ୍ରେନିଂ ସଭାର ଆୟୋଜନ ହେଲା

    ମୁଖ୍ୟ ପ୍ରସଙ୍ଗ ପଡ଼ିଲା,

କିପରି ମଣିଷ ରକତ‌ ଶୋଷିବା‌

    ସେହି ବିଚାର ଚାଲିଲା‌।

ରଘୁସାହୁ ମିଠା ଦୋକାନର ମଶା

    ରଖିଲା ନିଜ ବକ୍ତବ୍ୟ,

ପ୍ରେମିକ ମଶାଟି ଠିଆହୋଇ ପଡି

    କହିଲା କିଛି କହିବ।

ମଣିଷ ରକତେ‌ ମୋର ଲୋଭ ନାହିଁ

   ମନ ମୋ ଲେଡିଜ‌ ଠାରେ,

ସୁନ୍ଦରୀ ମହିଳା ଯୁବତୀଙ୍କୁ କିସ୍

   ଦେଇ ମୋ ଅଭ୍ୟାସ ମାରେ।

ନିଷିଦ୍ଧ ସ୍ଥାନରେ ଶୁଣ୍ଢ ଭର୍ତ୍ତି କରେ

    ଯେବେ ଚୂମାଟିଏ ଦିଏ,

ସେତେବେଳେତାଙ୍କ ଲଜ୍ୟାଛାଡିଯାଏ

    ପ୍ରବଳ‌ କୁଣ୍ଡେଇ ହୁଏ।

ଦର୍ଶକ ମଶାଟି‌ ଦେଉଛି ଭାଷଣ

    ମୁହିଁ ବଡ଼ ଭାଗ୍ୟବାନ,

ପ୍ରେମି ଯୁଗଳଙ୍କ ପ୍ରେମ ଆଲିଙ୍ଗନ 

    ସନ୍ତ‌ର୍ପେ‌ କରେ ଦର୍ଶନ।

ସାହିତ୍ୟିକ ମଶା ଦେଉଅଛି ବାର୍ତ୍ତା

    କବି ଶବ୍ଦ ଖୋଜୁଥିଲେ,

କବି ତାଜା ରକ୍ତ ମନ ଇଚ୍ଛା ମୁହିଁ

    ଶୋଷୁଥାଏ ସେତେବେଳେ।

ଏମିତି ଅନେକ ମଶାମାନେ‌ ନିଜ

    ଅଭିଜ୍ଞତା ଜଣାଇଲେ,

ମଣିଷ ରକତ‌ ବେଶୀ ମିଠା ବୋଲି

    ସମସ୍ତେ ପ୍ରାୟ କହିଲେ।

ମଶାରୀ ଭିତରେ କେମିତି ପଶିବ

    ସଭାପତି ପ୍ରଶ୍ନ କଲେ,

ମଶା ମାନେ କିଛି ଉତ୍ତର ନ ଦେଇ

    ଚୁପ୍‌ଚାପ୍‌ ବସିଥିଲେ‌।

ତେଣୁ ସଭାପତି କହିଲେ ଉତ୍ତର

    ପ୍ରିୟ ମଶା ମାନେ ଶୁଣ,

ମଶାରୀ ପାଖରେ ଅନେକ ମାତ୍ରାରେ

    ଛକି ରହିଥିବ ଜାଣ।

ଯେବେ ଏକ ଦୁଇ ଲାଗିବ ମଣିଷ

    ମଶାରୀକୁ ଟେକି ଯିବ,

ସେହି ସମୟରେ ମଶାରୀ ମଧ୍ୟକୁ

     ତୁମେ ପ୍ରବେଶ କରିବ।

ପୁଣି ଏକ ସୂତ୍ର ପଢାଗଲା‌ ପାଠ

    ଶୁଣ ଆହେ ମଶାଗଣ‌,

ଗାଈ ମ‌ଇଁଷୀଙ୍କ ଚମଡ଼ା ଫୋଡୁଛ

    ତୁମ ଶୁଣ୍ଢ ବଡଟାଣ‌।

ତେଣୁ ମଶାରୀକୁ ଫୋଡ କରିବାକୁ‌ 

    ଆଜିଠୁଁ‌ ଅଭ୍ୟାସ କର,

ଗୁଡ୍‌ନାଇଟି‌ କି ମଶା ଗ୍ୟାସ୍ ପ୍ରତି

    ଦିଅନା‌ କେବେ ନଜର।

ମଣିଷ ଆମର ବଂଶ ବିନାଶୁଛି

    ଏ ପ୍ରତି ରଖ ହେ ଲୟ,

ମଶା ବଂଶ ବଢୁ ନିତିଦିନ ତୁମେ

    ଶହେ ଆଠ ଅଣ୍ଡା ଦିଅ।

ଦେଖିବା ମଣିଷ କେତେ ସେ ମାରିବ

    ଆମେ ସେତେ ବଢୁଥିବା,

ଶପଥ ନିଅ ହେ ମଣିଷ ଆଖିରୁ 

    ନିଦଟି‌ ହଜେଇଦେବା‌।

ଆବଶ୍ୟକ ସ୍ଥଳେ ନରେନ୍ଦ୍ର ମୋଦୀଙ୍କୁ

    ନିଶ୍ଚୟ ଭେଟ କରିବା,

ବନ୍ୟ ସଂରକ୍ଷଣ ଆଇନ ସମ୍ପର୍କେ

    ସଚେତନ କରାଇବା‌।

ଅନ୍ଯ ଜୀବଜନ୍ତୁ ଶୀକାର ହୋଇଲେ

    ମଣିଷ ଜେଏଲ‌ ଯାଏ,

ଆମକୁ ମଣିଷ ନିତି ନିତି ମାରି

    କାହିଁ ଛାଡ଼ ପାଇଯାଏ? 

ପୁଣି ସଭାପତି ନିର୍ଦ୍ଦେଶ ଦିଅନ୍ତି

    ଶୁଣ ପ୍ରିୟ ମଶାଗଣ‌,

ପୋଷ୍ଟର ଛପେଇ ରାଜଧାନୀ ଯାଇ

    କର ଗୋଟେ ଅଭିଯାନ।

ଜଣେଇ ଦିଅ ଏ ଜନସମାଜକୁ‌

    ପ୍ରକୃତ ମଶାଙ୍କ ମୁଖା,

ଦିନ ଦି'ପ୍ରହରେ‌ ରାଜରାସ୍ତାପରେ

   ଲୁଟୁଥାନ୍ତି‌ ଖାଲି ଟଙ୍କା ।

ଗରୀବ ରକତ ଶୋଷୁଅଛି ନେତା

   ଯେମିତିକା ଡେଙ୍ଗୁ‌ ମଶା,

ଗାଆଁ କୁଜିନେତା ମେଲେରିଆ ମଶା

   ଘାଣ୍ଟି‌ ମାରନ୍ତି ଜନତା‌।

ମଶାମାନେ ଶୁଣ ଯଦି ହୁଏ ମନ

   ଏମାନଙ୍କ ରକ୍ତ ପିଅ,

ନିରୀହ ଗରୀବ ରୋଗୀଙ୍କ ପାଖକୁ

    କେବେ ତୁମେ ହେ ନ ଯାଅ।

ନେତାଙ୍କ ରକତ‌ ରାଜନୀତି ଗନ୍ଧ

    ଡାକ୍ତରର‌ ଓଷଦିଆ‌,

ଓକିଲିଆ‌ ରକ୍ତ‌ ମିଛ ପାଣିଚିଆ

    କଣ୍ଟ୍ରାକ୍ଟର‌ ଆଇଁଷିଆ‌।

ବିଭିନ୍ନ ସୁଆଦ ରକ୍ତ ଖାଉଥାଅ‌

   କବି ପାଖକୁ ନ ଯାଅ,

ପାରୁଛ ଯଦିବା ଜୀବାଣୁ ବିହୀନ

   ରକ୍ତ କିଛି ତାକୁ ଦିଅ।

ଏତିକି କଥାରୁ ନିଦ ଭାଙ୍ଗିଗଲା‌

   ମଶାରୀ ଯାଇଛି ଖୋଲି,

ମୁରୂଖ ଅପର୍ତ୍ତି ସ୍ଵପ୍ନରେ କହୁଛି

   ଏ,ମଶା ଦାଉରୁ ମୁଁ ମଲି।


Rate this content
Log in

Similar oriya poem from Comedy