କଥାଟି ଦିହକୁ ନେବେନି
କଥାଟି ଦିହକୁ ନେବେନି
କହିବି କଥାଟି ଦିହକୁ ନେବେନି ଲାଗିବ ଟିକିଏ ପିତା,
କେବଳ ମୋ ପାଇଁ ନୁହେଁ ସଭିଙ୍କର ମନ ଭିତରର କଥା ।
ମୋର ମୃତ୍ୟୁପରେ ଫୁଲତୋଡ଼ା ଧରି ପ୍ରଶଂସା କରିବ କାନ୍ଦି,
ଦେଖିବି ନାହିଁ କି ଶୁଣିବି ନାହିଁ ମୁଁ ଗାଳି ଦେଉଥିବ ଯଦି ।
ମୋର ଦୋଷାଦୋଷ କ୍ଷମା କରିଦେଇ ଦେଖାଇବ ବଡ଼ପଣ,
ମୋ ସହିତ ମିଶି ଖୁସି ହେଇଥା'ନ୍ତ ଆହୁରି ବହୁତ ଦିନ ।
ଭଲକରି ଆଉ କଥା ହେବାପାଇଁ ଇଚ୍ଛା ଥିଲା କହୁଥିବ,
ମୋଠାରୁ କେ କେବେ କିଛି ପାଇଥିଲେ ତାକୁ ମନେ ପକେଇବ ।
ତୁମେ କରୁଥିବ ଶୋକସଭା ମିଶି ମୋ ଦୁଆରେ ଠିଆହେଇ,
ଈଶ୍ଵରଙ୍କ ପାଶେ ପ୍ରାର୍ଥନା କରିବ ମୋ ଆତ୍ମାର ଶାନ୍ତିପାଇଁ ।
ଯାହା ଦେବାକଥା ଯାହା ନେବାକଥା ଯାହା କହିବାର ଅଛି,
ବଞ୍ଚି ଥାଉଁଥାଉଁ ଦେଇଦିଅ ମୋତେ ନେଇଯିବି ବାଛିବାଛି ।
ଆଖି ତ ଦେଖିବ କାନ ବି ଶୁଣିବ ହୃଦୟ ଶୀତଳ ହେବ,
ଜୀବ ଗଲାପରେ ସବୁହେବ ମିଥ୍ୟା କାହାର ଲାଭ ନ ଥିବ ।
