ଶରତ୍
ଶରତ୍
ଭକ୍ତକବି ମଧୁସୂଦନ ରାଓ
(ରାଗ-ମଙ୍ଗଳ)
ରୁଚିର ଶରଦକାଳ ବିରାଜିଲା ଆସି,
ହସିଲା ଧରଣୀରାଣୀ ଶୋଭା ପରକାଶି
କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ,
ସରୋବରେ ଫୁଟିଛନ୍ତି କୁମୁଦ କମଳ
ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ,
ଧବଳିତ ଉପବନ ଜନମନ ହରେ
ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ
ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ,
ବିରାଜଇ ଦଶଦିଶ କରିଣ ଧବଳ
ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ,
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ
ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ,
କ୍ରୀଡ଼ନ୍ତି ହରଷେ ତହିଁ ଧଳା ହଂସଦଳ
ଧାନ୍ୟକ୍ଷେତ୍ରେ ପକ୍ବଶାଳି ଦିଶଇ ସୁନ୍ଦର,
ଦରଶନେ ଆନନ୍ଦିତ ମନ କୃଷକର
ସୁନୀଳ ଅପରାଜିତା ଫୁଟିଅଛି ବନେ,
ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ
ଧରିଛି ଅଗସ୍ତି ଦ୍ରୁମ କୁସୁମ-ମଞ୍ଜରୀ,
ବଙ୍କିମ ଦିଶଇ ଯାହା ବାଳ ଇନ୍ଦୁ ପରି
ପ୍ରଦୋଷେ ଫୁଟଇ ଜହ୍ନିଫୁଲ ଘରେ ଘରେ,
ବାଳକେ ତୋଳନ୍ତି ତାହା ମହା ଆନନ୍ଦରେ
ପ୍ରଫୁଲ୍ଲ କୁସୁମବନୁ ପୁଷ୍ପଗନ୍ଧ ହରି,
ଶୀତଳ ସୁରଭି ପଦ୍ମ-କାନନେ ସଞ୍ଚରି
ନଚାଇ ତରଙ୍ଗେ ନଦୀ-ସରୋବର-ନୀର,
ନଚାଇଣ ଶସ୍ୟାବଳୀ ବହଇ ସମୀର
ରଜନୀରେ କୁମାରୀଏ ମହା ଆନନ୍ଦରେ,
ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ
ତାରାବିମଣ୍ଡିତ ନୀଳ-ଗଗନକୁ ଚାହିଁ,
ହରନ୍ତି ମାନସ ନାନା-ରଙ୍ଗେ ଗୀତ ଗାଇ