STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

କୃଷ୍ଣ ନାମ ଗାଅ

କୃଷ୍ଣ ନାମ ଗାଅ

1 min
155


ନାଚରେ ସଙ୍ଗାତ ନାଚ

ଏଇ ଖୋଳ କରତାଳ ତାଳେ ନାଚ

କୃଷ୍ଣ ନାମ ଗାଅ ରାଧା ନାମ ଗାଅ

ଆଉ ସବୁ ଜାଣ ମିଛ

ସଙ୍ଗାତରେ ଆଉ ସବୁ ଜାଣ ମିଛ ।


ପ୍ରଭୁ ଶ୍ରୀଚୈତନ୍ୟ ନିତ୍ୟ ଆନନ୍ଦ

ଝରେ ମକରନ୍ଦ ଭଜ ଗୋବିନ୍ଦ

ନାମ ଅମୃତ ରେ ଶାନ୍ତି ମୁକତି

ପ୍ରେମ ସୁଧାନିଧି ଭାବ ଭକତି

ନାମ ଧ୍ୟାନ ବିନା ଅଜ୍ଞାନ ଅନ୍ଧାରେ

ଜୀବନ ହୋଇବ ତୁଚ୍ଛ

ସଙ୍ଗାତରେ ଜୀବନ ହୋଇବ ତୁଚ୍ଛ 

ନାଚରେ ସଙ୍ଗାତ ନାଚ ।


ନାମରେ ଆନନ୍ଦ ପରମାନନ୍ଦ

ମଧୁର ମଳୟ ତୋଳଇ ଛନ୍ଦ

ନିତାଇ ଗଉର ନଦିଆ ଚାନ୍ଦ

ପରାଣ ଚନ୍ଦନ ପଦାରବିନ୍ଦ

ନାମ ଜପାମାଳ ଭାବେ ହୋଇ ଭୋଳ

ଜୀବନ କରିବା ସ୍ବଚ୍ଛ

ସଙ୍ଗାତରେ ଜୀବନ କରିବା ସ୍ବଚ୍ଛ

ନାଚରେ ସଙ୍ଗାତ ନାଚ ।


ନାମ ଧର୍ମ ନାମ ନାମ କିର୍ତ୍ତନ

ନାମ ବ୍ରହ୍ମ ନାମ ନାମ ଭଜନ

ନାମରେ ହୁଅଇ ଜୀବନ ଧନ୍ୟ

ନାମରେ ମିଳଇ ଅପାର ପୂଣ୍ୟ

ସେ ପୂଣ୍ୟକୁ ଭାଇ ମନ ଧ୍ୟାନ ଦେଇ

ବେଳ ଥାଉ ଥାଉ ସଞ୍ଚ

ସଙ୍ଗାତରେ ବେଳ ଥାଉ ଥାଉ ସଞ୍ଚ

ନାଚରେ ସଙ୍ଗାତ ନାଚ ।


ନାମ ଜପ ତପ ଧୂଅଇ ପାପ

ନାମ ଜପ କଲେ ସୁଖ ଅମାପ

ପ୍ରଭୁଙ୍କ ଚରଣେ ସ୍ଥାନ ମିଳଇ 

ବାଦ ଅବସାଦ ଯାଏ ଉଭେଇ

ସଂସାର ଜଞ୍ଜାଳ ହୁଏନାହିଁ କାଳ

କଥାଟି ମନରେ ପାଞ୍ଚ

ସଙ୍ଗାତରେ କଥାଟି ମନରେ ପାଞ୍ଚ

ନାଚରେ ସଙ୍ଗାତ ନାଚ ।


ଜଗାଇ ମାଧାଇ ସେ ଦୂରାଚାରୀ

ନାମ ପାସେ ଦେଲେ ହୃଦୟ ହାରି

ମନ୍ଦ ବୁଦ୍ଧି ଛାଡି ନାମ ଭଜନ

ବିଭୁ ପାଦେ ଦୁହେଁ ହେଲେ ବିଲୀନ 

ନାମରେ ବିଶ୍ବାସ ନାଶଇ କଳୁଷ

ନାମେ ନାହିଁ ଉଚ୍ଚ ନୀଚ

ସଙ୍ଗାତରେ ନାମେ ନାହିଁ ଉଚ୍ଚ ନୀଚ

ନାଚରେ ସଙ୍ଗାତ ନାଚ ।


ସତ୍ୟ ଯୁଗେ ତୀର୍ଥ ଦର୍ଶନ ସାର

ତ୍ରେତୟାରେ ଯଜ୍ଞ ଧର୍ମ ଆଧାର

ଦ୍ବାପର ଯୁଗରେ ଦାନ ମହାନ

କଳିଯୁଗ ମାର୍ଗ ନାମ କିର୍ତ୍ତନ

ମୋଖ୍ଯ ହୁଏ ପ୍ରାପ୍ତି ଅସୀମ ଶକତି

ନାମ ମୁକ୍ତି ମହା ମଞ୍ଚ

ସଙ୍ଗାତରେ ନାମ ମୁକ୍ତି ମହା ମଞ୍ଚ

ନାଚରେ ସଙ୍ଗାତ ନାଚ ।


ନିତାଇ ଗଉର ରାଧେଶ୍ୟାମ

ଶୁଣି ନାମ ଦୂରୁ ଡରଇ ଯମ

ଯେତେ ଦୂର ହରି ନାମ ଶୁଭଇ 

ପବିତ୍ର ପବିତ୍ର ସବୁ ଲାଗଇ

ହସେ ମାଟି ପାଣି ହସଇ ପବନ

ଚଉଦିଗ ଦିଶେ ସ୍ବଛ୍ଛ

ସଙ୍ଗାତରେ ଚଉଦିଗ ଦିଶେ ସ୍ବଛ୍ଛ

ନାଚରେ ସଙ୍ଗାତ ନାଚ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics