କଲମ ମୁନ ଧାରରେ
କଲମ ମୁନ ଧାରରେ


କଲମର ମହତ୍ତ୍ଵ ତଥା ଗୁରୁତ୍ଵ
ଅନୁଭବ ସହଜରେ
ଅବ୍ୟକ୍ତ ବେଦନା ,ହୃଦୟର ବ୍ୟଥା
ବ୍ୟକ୍ତ କଲମ ମୁନରେ
ଗୁରୁଜନ ସମ୍ମୁଖରେ କେତେ କଥା
ନୁହେଁ ବ୍ୟକ୍ତ ସହଜରେ
ଲଜ୍ଜ୍ୟା ଅପମାନ ଅବା ରାଗ ଋଷା
ଖୋଲି ଲେଖା ଯାଇ ପାରେ
ପ୍ରିୟା ର ସାନିଧ୍ୟ ଅବା ଅଭିମାନ
ଲେଖି ଚିଠି ମାଧ୍ୟମରେ
ସମ୍ପର୍କର ସେତୁ ହୁଅଇ ସୁଦୃଢ଼
ଲେଖନୀ ମୁନ ଧାରରେ
କଲମର ଭିନ୍ନ ଭିନ୍ନ ପରିଚୟ
ସ୍ଥାନ କାଳ ପାତ୍ର ଧାରେ
ଲେଖା ପଢ଼ା ପରୀକ୍ଷାର୍ଥୀ ପରୀକ୍ଷକ
ମୂଲ୍ୟାଙ୍କନ ଆଧାରରେ
କଲମ ଧାରରେ ଶିକ୍ଷକର ଶିକ୍ଷା
ସହଜରେ ଅନୁମେୟ
ପ୍ରଶାସନିକ ଅଧିକାରୀ ପାଖରେ
ନିର୍ଦ୍ଦେଶ ହୁଅଇ ତୟ
ବିଚାରପତିଙ୍କ ନ୍ୟାୟିକ ଆଦେଶ
କଲମ ମୁନ ଧାରରେ
କବିଙ୍କ ଜୀବନ ଧମନୀ ପ୍ରବାହ
କାବ୍ୟ କବିତା କୃତିରେ
ନେତାଏ ଲେଖନ୍ତି ସୁପାରିଶ ପତ୍ର
କଲମ ମୁନର ଧାରେ
ସାମ୍ବିଧାନିକ ନିର୍ଦ୍ଦେଶ ପାଳନ
ମନ୍ତ୍ରୀ ଯତ୍ନ ସହକାରେ
ପ୍ରଧାନମନ୍ତ୍ରୀଙ୍କ ହାତରେ କଲମ
ଦେଶର ପ୍ରଗତି ପଥ
ରାଷ୍ଟ୍ରପତି ପାଶେ କଲମ ଗର୍ବିତ
ଆଦେଶ ଆଇନଗତ
ଭାବନାର ପରିପ୍ରକାଶ ସମ୍ଭବ
କଲମ ମୁନ ଧାରରେ
ତିକ୍ତ ଅନୁଭୂତି ବି ଉପସ୍ଥାପିତ
ଲେଖି କଲମର ଧାରେ
ଦୁଃଖ ଓ ଯନ୍ତ୍ରଣା ଆଶା ପରିଭାଷା
କଲମ ସହାୟତାରେ
ଖୋଲେ ଅବିଭକ୍ତ ଶବ୍ଦର ଭଣ୍ଡାର
ନୂତନ କୃତି ଆକାରେ
ହୃଦୟର ଗୁପ୍ତ କୋଠରୀ ମଧ୍ୟରୁ
ଗୁପ୍ତ ରହସ୍ୟ କ୍ରମଶଃ
ଲେଖନୀ ମୁନରେ ନୂତନ ସର୍ଜନା
କଲମ ମୁନେ ଅଚିରେ
ଭାବନାରେ ମଜ୍ଜି ହଜାଇ ନିଜକୁ
ସ୍ରଷ୍ଟା ଲଭେ ପରିଚୟ<
/p>
ଜୀବନର ଦୁଃଖ ଭୁଲି ଲେଖା ଧାରେ
ଖୁସି ହୁଏ ଅତିଶୟ
ଲେଖକର ପୁଞ୍ଜି ପୁଣି ଦାନା ପାଣି
କଲମ ତା'ର ଜୀବନ
ଗୀତିକାର ପାଇଁ କଲମ ହିଁ ଗୀତ
ଗୀତରେ କଲମ ଗୁଣ
ଛାତ୍ର ଜୀବନର ଅୟମାରମ୍ଭ ରେ
କଲମ ପ୍ରତି ଲାଳସା
କଲମ ହିଁ ସାକ୍ଷରତା ର ପ୍ରତୀକ
କଲମ ଧାରେ ଭରସା
କବି ଓ,ଲେଖକ, ସାହିତ୍ୟ-ପ୍ରେମିକ
କଲମ ସହ ଜଡ଼ିତ
ହୃଦୟ ରୂପକ କୋମଳ ମାଟିରୁ
ଭାବ ଭାଷା ଅଙ୍କୁରିତ
କବି ଲେଖକର କଲମ ହିଁ ଅସ୍ତ୍ର
ବିଭିନ୍ନ ଶବ୍ଦ ସହିତ
ସ୍ରଷ୍ଟା ର ସେ ସାଥୀ, ସ୍ରଷ୍ଟା ବି ଗର୍ବିତ
ପୁଣି ସମ୍ମାନର ପାତ୍ର
କୌଣସି ମୂଲ୍ୟରେ ବିକ୍ରି ଉପଯୋଗୀ
ନୁହେଁ ସେ ପ୍ରିୟ କଲମ
ସଦା ସୂର୍ଯ୍ୟ ସମ ଉତ୍ତପ୍ତ ସହିତ
କଦାପି ନୁହେଁ ବିଭ୍ରମ
ବାହୁବଳ ଅବା ମକଦ୍ଦମା ଭୟ
ଯଦ୍ୟପି କଲମ ପ୍ରତି
ପରମାଣୁ ବୋମା ଠାରୁ ଶକ୍ତିଶାଳୀ
ଭ୍ରୁକ୍ଷେପ ନାହିଁ ତା' ପ୍ରତି
କଲମ ନାମରେ ରହିଛି ସତ୍ୟତା
କେବଳ ନାମକୁ ମାତ୍ର
ଗଣମାଧ୍ୟମର ଅକ୍ତିଆର ପ୍ରାୟ
ସମାଜର ପ୍ରତି କ୍ଷେତ୍ର
ଖଡ୍ଗ ଧାର ସମ ନୂତନ କୃତିରେ
ଅସମ୍ଭବ ବି ସମ୍ଭବ
ସତ୍ୟ ଉନ୍ମୋଚନ କଲମ ମୁନରେ
ଭାଙ୍ଗି ବି ଅମର ହେବ
କଲମର କେତେ ଗରିମା ମହିମା
ଜାଣିନାହିଁ ଅଶିକ୍ଷିତ
ମାନବିକତାର ଭାବ କିନ୍ତୁ ହୃଦେ
ସଦା ସର୍ବଦା ନିହିତ
ଶିକ୍ଷିତ ହେବାର ପ୍ରତୀକ ସ୍ବରୂପ
କଲମ ନାମକୁ ମାତ୍ର
ସମାଜ ବିରୋଧୀ କାର୍ଯ୍ୟକଳାପରେ
ଅଟେ କି ବିଧି ସଙ୍ଗତ!!
ହେ କବିକୁଳ,ଲେଖକ ,ସାହିତ୍ୟିକ
ସତ୍ୟତା ରହୁ କୃତିରେ
ମାନବିକତାର ଭାବନା ଉଦ୍ରେକ
ହେଉ କଲମ ମୁନରେ