ଖଟା ମିଠା ଝଲକ
ଖଟା ମିଠା ଝଲକ
ପଇସା ନାହିଁ କହିଲେ ତୁମେ ମୋ ଗୁପ୍ତଖଣି
ଉଧାର କଥା କହିଲେ ତୁମେ ଖର୍ଚ କାଟମୁଣୀ ।
ପଡୋଶୀ ଶତ୍ରୁ ହେଲେ ତୁମେ ମୋ ଚିତ୍ରଗୁପ୍ତ
ନିମନ୍ତ୍ରଣ ନ ପାଇଲେ ତୁମେ ରେଷ୍ଟୁରାଣ୍ଟ ମୁକ୍ତ ।
ଚୂପଚାପ ବସିଲେ ତୁମେ କଥାକୁହା ମଇନା
ମାର୍କେଟରୁ ଡେରି ହେଲେ ବାୟାଣୀ ପାପମନା ।
ପ୍ରଶଂସା ପାଇଲେ ତୁମେ ପ୍ରଥମ ପ୍ରଶସଂକ
ମେମୋ ପାଇଲେ ମୋର ମନୋବୈଜ୍ଞାନିକ ।
ପର୍ବପର୍ବାଣୀରେ ତୁମେ ସାଜ ମୋ ରୋଷେଇ
ଖୁସି ଗପରେ ବନ୍ଧୁମିଳନରେ ରସ ମଲେଇ ।
ତୁଣ୍ଡ କମାଣ ମୋର ଧାରୁଆ ଛୁରୀ କଟୁରୀ
ବଳେଇ ଖୁଆଇବାରେ ତୁମେ ଅନୁପୂର୍ଣ୍ଣା ସରି ।
ଗରମ ସହି ପାରନା ବୋଲି ବିଜୁଳିକୁ ଗାଳି
ସାଙ୍ଗରେ ବି ପେଷିଯାନ୍ତି ମୁଁ ପୁଅଝିଅ କାକଳୀ ।
ସମସ୍ୟା ବଖାଣିବାରେ ତୁମେ ସର୍ବାଗ୍ରେ ସମର୍ଥା
ସମାଧାନ ଖୋଜୁଖୋଜୁ ବାଟବଣା ଅର୍ଥା ମାର୍ଥା ।
ଛିଦ୍ର ଖୋଜିବାରେ ଦୋଷ ଧରିବାରେ ସିବିଆଇ
କ୍ଷମା କରିବାରେ ଭୁଲିବାରେ ନ୍ୟାୟଳୟ ମାଇଁ ।
ଏକବିଂଶତି ବର୍ଷ ହାତ ଧରି ଚାଲିଛେ ଦୁହେଁ
ହସ କାନ୍ଦ ଦୁଃଖ ସୁଖ ପରି ପରିପୂରକ ମୁହେଁ।
ଯୁଗ୍ମ ଜୀବନ ଆମ ଶ୍ରୀଜଗନ୍ନାଥଙ୍କ ଉରସା
ଛନ୍ଦା ଚରଣ ତଳେ ମନ ମତି ଭକ୍ତି ପରସା ।
ବିବାହ ବାର୍ଷିକୀରେ ମୋର ଖଟାମିଠା ସନ୍ଦେଶ
ସୁସ୍ଥସତେଜ ରହିବାଦୁହେଁ ଦୂରେଥିଲେବି ପାଶ ।
ପରୋପକାରାୟ ସ୍ଵର୍ଗାୟ ହେଉ ମୂଳମନ୍ତ୍ର ଆମ
ଧରାଧରିହୋଇ ଜୀବନତରୀବାହୁଥିବା ନିଷ୍କାମ ।।
