କେମିତି ଅଛ ?
କେମିତି ଅଛ ?
ଭବ ବାରିଧିରେ ସମ୍ପର୍କ ତୁଠରେ
ଯେତେବେଳେ ଜଣେ ଆନକୁ ଭେଟେ
ସତେ କି ଉଭୟ ଅନ୍ତର ଗହ୍ବରୁ
ଆପଣାପଣର ନିର୍ଝର ଛୁଟେ
ତୁଣ୍ଡରୁ କେମିତି ଅଛ ପଦଟେ
ଆଦାନପ୍ରଦାନ ଆନନ୍ଦ ବିଷାଦ
ମନ ତଳେ ଆସି କେତେ ପ୍ରକଟେ ।
ଭାରି ଭଲ ଲାଗେ ଶୁଣିଦେଲା କ୍ଷଣି
ଆତ୍ମୀୟତା ବୋଳା ଏ ଦୁଇ ଶବ୍ଦ
ଅମୃତ ପରଷି ହୃଦୟ ଆଶ୍ବାସି
ହରି ନେଇଯାଏ ଯେତେ ବିଷାଦ
ଉକୁଟି ଉଠଇ କେତେ ଆନନ୍ଦ
ସେଥିପାଇଁ ପରା ଧରଣୀ ବୁକୁରେ
ନର ନର ମଧ୍ୟେ ଏତେ ସମ୍ବନ୍ଧ ।
ସୁଖ ଭରିଥିଲେ ଉକ୍ତିଗୁଡିକରେ
ପ୍ରତ୍ୟୁକ୍ତି ହୁଅଇ ମଧୁ ମିଶ୍ରିତ
ଦୁଃଖ ଭରା କଥା ବାଜିଲେ କାନରେ
ସମବେଦନାର ବାଣୀ ନିଃସୃତ
ବୁଝିପାରେ ବୋଲି ବନ୍ଧୁ ମହତ୍ତ୍ବ
ମଣିଷପଣିଆ ଅଛି ତା'ର ପାଶେ
ହୁଏ ବାରବାର ପ୍ରତିଧ୍ବନିତ ।
ଯେବେ ବୈରଭାବ ଲୁଚି ରହିଥାଏ
କେମିତି ଅଛଟି ଛଳନାସିକ୍ତ
ବୁଲେଇ ବଙ୍କେଇ ସୂଚାଇ ଦିଅଇ
ଭୋଗାଭୋଗ ନିଜ କର୍ମ ଅର୍ଜିତ
ବଚନ ଉଗାଳି ସାରେ ମହତ
ଷଡ଼ ରିପୁ ସହ ବନ୍ଧୁତା କରି କେ
ଉତ୍ତମ ମଣିଷରେ କି ଗଣିତ ?
କେମିତି ଅଛନ୍ତି ମୋର ପିତାମାତା
ଭଲ ଅଛନ୍ତି ନା ସାଙ୍ଗସାଥୀଏଁ
କେମିତି ଅଛନ୍ତି ପ୍ରାଣ ସଖୀ ରାଈ
ଭଲ କି ଅଛନ୍ତି ସେଠି ଗୋପୀଏଁ
ଉଦ୍ଧବେ ପଠାଇ ଗୋପ ନଗରୀ
ପୁଚ୍ଛାଥିଲେ ପରା ଭଗବାନ କୃଷ୍ଣ
ଦ୍ବାପରରେ ନର ଶରୀର ଧରି ।