କବିତାର ନାଁ ଗୁରୁବାରୀ
କବିତାର ନାଁ ଗୁରୁବାରୀ


ସକାଳୁ ସକାଳୁ
ପାନ ଚାରି ଚାରିଟା ଭାଙ୍ଗି
ଏକା ଚୋବେଇଲା ପଦିଆ ବା'
ପଦିଏ କଥାରେ ଗଣ୍ଠିପଡିଲା
କିଆଁ କହିଲା...ମଦ ପିଇନା
ଏଡ଼େ ବହପ ଆରେ ମାଇକିନା
ଖାଉଛି ପିଉଚି ଜବାବଦଉଛି
ମୁହେଁରେକିନା??
ପାଇଟି ସାରି ଆସିଲା ତେଣେ ଗୁରୁବାରି
ଭୋରୁ ଯାଇ ଦିନ ଦିଘଡ଼ି
ଗପ ମାରି ମାରି ହଲି ଦୋହଲି
ରୋଷେଇ ସରିଲେ
ଆଉରି ଅଛି ଘରଚାରି...
ଦେଖେଇ ଦେଖେଇ ପଦିଆ ବା'
ଗର୍ଜନ କରି
ଦେଲା ସିଲିଭର କଂସା ଗିନା ତକ ଫୋପାଡ଼ି
କହିଲା ଦାନ୍ତ ରଗଡି
ମୋ କପାଳରେ ଥିଲୁ ଅଲକ୍ଷଣୀ ନାରୀ
ଗୁରୁବାରି ତୁ ଜନମ ଆଗରୁ ଗଲୁନି କାହିଁକି ମରି?
ଦାନ୍ତରୁ ପଞ୍ଝାଏ ଦେଖେଇ ଦେଇ
ସାଉଁଟି ଆଣିଲା ବାସନତକ
ପଦିଆ,ସର ଆଉ ନଖିଆ
ତେଣେ ହେଉଥାନ୍ତି ଧକଧକ ସକସକ
ତେଲ ଲଗେଇ ପୋଛି ପାଛି
ଗରମ ଗରମକି ପକେଟମ୍ୟାଗି ବାଢିଦେଇ
ହାତଧରି ଭିଡି ଆଣିଲା
ବାରଘରୁ ମୂଲଲାଗି ବୋହି ଆଣିଥିବା
ଶାଢ଼ୀ
ରେ ଶାଢ଼ୀଏ ଏ ସାରାଗ
ଅଣ୍ଟିରୁ ଆନ୍ତରିକତା, କାନିରୁ କରୁଣା
ବ୍ଲାଉଜରୁ ବକ୍ସିସ ସବୁତିକ
ଢାଳି ଦେଇଗଲା
ଫିତା ଖଟିଆ ଉପରେ
କଥା....ଖାଲି କଥା
କିଏ ଧରୁଛି ମାମୁଁଲି କଥା??
ମଦପିଇ ମାତାଲ ଥିବାବେଳେ
କଥା ସବୁ ଛେପ ସଙ୍ଗେ ଭାଆରିଯାଏ ନା..
ସେକଥା କଣ ଧରାଯାଏ?
ପଦିଆ ବା' ପାଟିରୁ ଛେପତକ
ପଣତକାନିରେ ପୋଛି
ଗୋଇଠା ଖାଇଥିବା ଅଣ୍ଟାଦରଜକୁ
ଖାତିର ନକରି
ଆଳୁ ବାଇଗଣ ଆଉ ଅଭିମାନତକ ଚୁଲିକୁ ଠେଲି
ଆଞ୍ଜୁଳେ ସାରାଗ ଭରି ଭର୍ତ୍ତା, ରସୁଣ କୋଲେ କୋଳିପାଗର
ମହ ମହ ମହକରେ କଂସାଏ ପଖାଳ
ଟେକିଦେଲେ ଗେରସ୍ତ ଭାରିଜା ମିଶିକରି
ପାନରୁ ଖିଲେ ଗେଞ୍ଜିଦେଲା ଏଥର ପଦିଆ
ଗୁରୁବାରି ଲାଜରେ ଗଲା ଝାଉଁଳି
ମୁଁ ଦେଖୁଥିଲି ଆମ ଫ୍ଲାଟର ଥାର୍ଡ଼ ଫ୍ଲୋରରୁ
ଜିତିଲା କିଏ ହାରିଲା କିଏ
ମୋ ପୋଏମର
ଲାଷ୍ଟଷ୍ଟାଞ୍ଜାରେ ତୁ ସବୁଦିନ ରହିବୁ
ଧନ୍ୟ ତୁ ଗୁରୁବାରୀ...
କବିତାଟିଏ କଉଠି ଦେଖିନିଲୋ ତୋପରି l