କବିତା କାନନ
କବିତା କାନନ
ହେମବରଣୀର କ୍ଷୋମବସ୍ତ୍ର ପିନ୍ଧି
ସନ୍ଧ୍ୟାରାଣୀ ଆଗମିଲେ
ମଥାରେ ଯେ ଅବଗୁଣ୍ଠନ ସଜେଇ
ଧିରେ ପୁଣି ସରମିଲେ ।
ସୁନୀଳ ଗଗନେ ଯେ ଲୋହିତ ରବି
ମଣି ତୁଲ୍ୟ ଚମକିଲେ
ଅସ୍ଥାଚଳ ପର୍ବତେ ତପନ ରାଜ
ଅସ୍ତ ଧିରେ ଧିରେ ହେଲେ ।
ଗୋପାଳର ବେଣୁ ସ୍ଵନେ ଲଳନା ଯେ
ହେଲେ ପୁଣି ମତୁଆଲା
ଅପରାହ୍ନର ଅବସାଦ ଘଟେଇ
ପାହିଲା ଗୋଧୂଳି ବେଳା ।
ଗୋଧୂଳିର ସମୟେ ଗୋଧେନୁ ସବୁ
ନିଜ ଗୋଠେ ଫେରୁଥାନ୍ତି
ତାଙ୍କ ପଛେ ପଛେ ବତ୍ସାତରି ପୁଣି
ନାଚି ନାଚି ଖେଳୁଥାନ୍ତି ।
ଖେଚର ଗଣ ଏ ରକ୍ତିମ ଅମ୍ବରେ
ନିଜ ଶୋଭା ପ୍ରକଟିଲେ
ଲେଉଟାଣି ବେଳ ହେଲା ସଭିଙ୍କର
ଚଷାଚାଷୀ ଗୃହେ ଗଲେ ।
ସଞ୍ଜ ବୁଡ଼ିଗଲେ ବିଦୁଷ ଯାଆନ୍ତି
ମେଦିନୀର ଦେବ ପୁରେ
ଚୌଦିଗ ପୁଣି କମ୍ପିତ ହୋଇଉଠେ
ମନ୍ଦିରର ଘଣ୍ଟ ସ୍ଵରେ ।
ସନ୍ଧ୍ୟାକାଳେ ପୁଣି ନବବଧୂ ଯେତେ
ସଞ୍ଜଦୀପ ଜାଳୁଥାନ୍ତି
ନତଶିର ହୋଇ ବୃନ୍ଦାବତି ଆଗେ
ଶୁଭ ଯେ ମନାସୁଥାନ୍ତି ।
ଆଦିତ୍ୟର ଏ ରଶ୍ମିସୁଧା ପାଇଁକି
ଚାହିଁ ବସେ ଶତଦଳ
ସନ୍ଧ୍ୟାର ଏଇ ଅଳସି ରୂପ ଦେଖି
ମନ ଯେ ହୁଏ ପ୍ରଫୁଲ୍ଲ ।
ତଟିନୀ ତଟକୁ ଫେରୁଥାନ୍ତି ପୁଣି
କେତେ ନାଉରିଆ ଭାଈ
ଅକାତ ଜଳରେ କାତ ସେ ବୁହାଇ
ଫେରୁଥାନ୍ତି ଗୀତ ଗାଇ ।
ରାଜହଂସୀ ଗତିରେ ଗମନ କରି
ଯାଉଥାନ୍ତି ଗାଁ ତରୁଣୀ
ତଡାଗ ତଟରେ ଦିଶୁଥାଏ ତା'ର
ନାଲି ପଣତର କାନି ।
ଶ୍ୟାମଳର ଏଇ ସୁନାକ୍ଷେତ ପୁଣି
ଝୁଲେ ବାୟୁ ହିଲ୍ଲୋଳରେ
ଗୋଧୂଳି ସଙ୍ଗୀତ ପ୍ରକୃତି ଅନ୍ତରେ
ସତେ କି ପ୍ରାଣ ସଞ୍ଚାରେ !
ସଞ୍ଜ ଶେଷେ ସନ୍ଧ୍ୟାରାଣୀ ଯେ କରିବେ
ନିଜ ଅଞ୍ଚଳେ ପ୍ରସ୍ଥାନ
ଅନ୍ଧକାର ଘୋଟି ଏଇ ନିଶାଦେବୀ
ହୋଇବେ ଯେ ଆଗମନ ।
