ନିଜକୁ ମାଗୁଛି ନିଜେ ଅନୁମତି
ନିଜକୁ ମାଗୁଛି ନିଜେ ଅନୁମତି
ମନ ସରସୀରେ ନୀଳାଦ୍ରି ନୀଳନ୍ଦି
ହୋଇଅଛି ପ୍ରସ୍ଫୁଟିତ,
ଚତୁଃପାର୍ଶ୍ଵେ ତା'ର ଏ ନୀଳମୀଳକ
ହେଉଥାନ୍ତି ଆତଯାତ ।
ଚିତ୍ତ ଗମ୍ଭୀର ଘରେ ସୃଷ୍ଟି ହୋଇଛି
ଅଂଶୁର ଏକ ପ୍ରଣାଦ,
ସେଥି ମଧ୍ୟେ ପୁଣି ଧକ୍କା ଖାଉଅଛି
ଶୁଦ୍ଧ ରୁଧିରର ନାଦ ।
ପ୍ରଥମ ଥର ମୁଁ ପ୍ରତ୍ୟୂହକୁ ଭେଦି
ଆସିଅଛି ଆଲୋକକୁ,
ନିଜର ଅନୁମତି ଚାହେଁ ଆଜି ମୁଁ
ମନ ଭରି ବଞ୍ଚିବାକୁ ।
ମେଘଲା ନଭ ପୁଣି ମେଦିଆ ପଥ
ଅପେକ୍ଷା କରିଛି ମତେ,
ସେଥି ମଧ୍ୟେ ପୁଣି ଭ୍ରମରର ନାଦ
ଆହାଃ! ଏ କି ଦୃଶ୍ୟ ସତେ ।
ମର୍ତ୍ତ୍ୟପୁରେ ରହି ଲାଗେ ଆଜି ମୋତେ
ପହଞ୍ଚିଛି ପ୍ରଣୀପୁରେ,
ସ୍ଵର୍ଗ ପାରିଜାତ ଉଭା ହୋଇଛି କି
ସବୁଜିମା ମେଦିନୀରେ ।
ମୁହୁର ଟେ ମୁହିଁ ନିସ୍ପୃହା ଯେ ହୋଇ
ବଞ୍ଚିଥିଲି ପାପ ପଙ୍କେ,
ପ୍ରକୃତି କୋଳେ ରହି ତା' ସୌନ୍ଦର୍ଯ୍ୟର
ସଦା ଚିତ୍ର ମୁହିଁ ଆଙ୍କେ ।
ନିମିଷେକ ମଧ୍ୟେ ବଦଳି ଯାଏ ଯେ
ଏଇ ମୋ ଚଞ୍ଚଳ ମନ,
ଭାବ ବିଳାସୀ ହୋଇ ଭାବନାରେ ମୁଁ
ନିତି ଦେଖେ ଯେ ସପନ ।
ଜୀବନ ଯାତ୍ରାରେ ଅନ୍ଧାର ଭେଦି ମୁଁ
ଚାଲିଛି ପଥ ଅନେକ,
ଏ ଡାଳରୁ ସେ ଡାଳ ଡେଇଁ ଚାଲିଛି
ସାଜି ଗଗନର ଶୁକ ।
ସହବତୀ କେହି ନୁହନ୍ତି ମୋହର
କିନ୍ତୁ ଖୁସି ଏଇ ମନ,
ନିଜକୁ ମାଗୁଛି ନିଜେ ଅନୁମତି
ବଞ୍ଚିବାକୁ ଏ ଜୀବନ ।
