STORYMIRROR

Jyotirmayee Pradhan

Others

3  

Jyotirmayee Pradhan

Others

ନିଜକୁ ମାଗୁଛି ନିଜେ ଅନୁମତି

ନିଜକୁ ମାଗୁଛି ନିଜେ ଅନୁମତି

1 min
211


ମନ ସରସୀରେ ନୀଳାଦ୍ରି ନୀଳନ୍ଦି

ହୋଇଅଛି ପ୍ରସ୍ଫୁଟିତ,

ଚତୁଃପାର୍ଶ୍ଵେ ତା'ର ଏ ନୀଳମୀଳକ

ହେଉଥାନ୍ତି ଆତଯାତ ।


ଚିତ୍ତ ଗମ୍ଭୀର ଘରେ ସୃଷ୍ଟି ହୋଇଛି

ଅଂଶୁର ଏକ ପ୍ରଣାଦ,

ସେଥି ମଧ୍ୟେ ପୁଣି ଧକ୍କା ଖାଉଅଛି

ଶୁଦ୍ଧ ରୁଧିରର ନାଦ ।


ପ୍ରଥମ ଥର ମୁଁ ପ୍ରତ୍ୟୂହକୁ ଭେଦି

ଆସିଅଛି ଆଲୋକକୁ,

ନିଜର ଅନୁମତି ଚାହେଁ ଆଜି ମୁଁ

ମନ ଭରି ବଞ୍ଚିବାକୁ ।


ମେଘଲା ନଭ ପୁଣି ମେଦିଆ ପଥ

ଅପେକ୍ଷା କରିଛି ମତେ,

ସେଥି ମଧ୍ୟେ ପୁଣି ଭ୍ରମରର ନାଦ

ଆହାଃ! ଏ କି ଦୃଶ୍ୟ ସତେ ।


ମର୍ତ୍ତ୍ୟପୁରେ ରହି ଲାଗେ ଆଜି ମୋତେ

ପହଞ୍ଚିଛି ପ୍ରଣୀପୁରେ,

ସ୍ଵର୍ଗ ପାରିଜାତ ଉଭା ହୋଇଛି କି 

ସବୁଜିମା ମେଦିନୀରେ ।


ମୁହୁର ଟେ ମୁହିଁ ନିସ୍ପୃହା ଯେ ହୋଇ

ବଞ୍ଚିଥିଲି ପାପ ପଙ୍କେ,

ପ୍ରକୃତି କୋଳେ ରହି ତା' ସୌନ୍ଦର୍ଯ୍ୟର

ସଦା ଚିତ୍ର ମୁହିଁ ଆଙ୍କେ ।


ନିମିଷେକ ମଧ୍ୟେ ବଦଳି ଯାଏ ଯେ

ଏଇ ମୋ ଚଞ୍ଚଳ ମନ,

ଭାବ ବିଳାସୀ ହୋଇ ଭାବନାରେ ମୁଁ

ନିତି ଦେଖେ ଯେ ସପନ ।


ଜୀବନ ଯାତ୍ରାରେ ଅନ୍ଧାର ଭେଦି ମୁଁ

ଚାଲିଛି ପଥ ଅନେକ,

ଏ ଡାଳରୁ ସେ ଡାଳ ଡେଇଁ ଚାଲିଛି

ସାଜି ଗଗନର ଶୁକ ।


ସହବତୀ କେହି ନୁହନ୍ତି ମୋହର

କିନ୍ତୁ ଖୁସି ଏଇ ମନ,

ନିଜକୁ ମାଗୁଛି ନିଜେ ଅନୁମତି

ବଞ୍ଚିବାକୁ ଏ ଜୀବନ ।


      


Rate this content
Log in