STORYMIRROR

Sambit Srikumar

Romance Classics Inspirational

4.5  

Sambit Srikumar

Romance Classics Inspirational

ଜଳପରୀ

ଜଳପରୀ

3 mins
248


ସ୍ବପ୍ନର ସେହି ବିକ୍ଷିପ୍ତ

ବାଲୁକାମୟ ସମୁଦ୍ର ତଟରେ

ଦିନେ ମୁହିଁ ଭ୍ରମୁ ଭ୍ରମୁ ଦେଖିଲି

ଅଦ୍ଭୁତ ଅଲୌକିକ ଜୀବଟିଏ

ଅର୍ଦ୍ଧ ମତ୍ସ୍ୟ ଅର୍ଦ୍ଧ ମାନବୀ

ରଙ୍ଗ ତାର ଧବଳ ଫେନିଳ

ଶଂଖ ମର୍ମର ପ୍ରସ୍ତର

ସମ ମସୃଣ ଚିକ୍କଣ ସୁନ୍ଦର

ଅଗଭୀର ଜଳରାଶିରେ ତୋଳୁଥାଏ

ସିଏ ସୁମଧୁର ସଙ୍ଗୀତର ମଧୁ ଝଙ୍କାର

ପକ୍ଷ ପରିବର୍ତ୍ତନ ତାର ମନୋମୁଗ୍ଧକର

ଚମକି ଉଠୁଛି ସପ୍ତରଙ୍ଗୀ ଇନ୍ଦ୍ରଧନୁ

ସୁନ୍ଦର ମୁଖରେ ତାହାର

ସମୟର ଅନ୍ତରାଳେ କରୁଥାଏ ଜଳ ଫୁତ୍କାର

ଡୁବି ରହି ଗଭୀର ସ୍ବପ୍ନର ସାଗରେ

ଦେଖୁଥିଲି ତା'ରେ ମହା ବିସ୍ମୟରେ ।


ସହସା ଜାଗି ଉଠିଲା

ସୁପ୍ତ ଅବଦମିତ ଚେତନା ମୋହର

ତେଜି ଶତାବ୍ଦୀର ସୁଶୁପ୍ତି

ବିଛଣାରୁ ଉଠି କରି

ହୋଇଲି ଦଣ୍ଡାୟମାନ

ପୁନଃ ପୁନଃ ଭାବନାର

ମୋହ ନକରି ପାରି ସମ୍ବରଣ

ଦୃତଗତିରେ ଦୌଡ଼ି ଗଲି

ମୁଁ ସାଗରତଟକୁ

ଦେଖିବାକୁ ସେହି ଅଦ୍ଭୁତ

ଅଲୌକିକ ଜୀବକୁ

ଭାବୁଥିଲି ପଥପ୍ରାନ୍ତେ କଥା

ହେବି ସାଥେ ତାର

ଯିବି କହି ମୋର ସ୍ବପ୍ନର ଗୁମର କଥା

ପଚାରିବି ତା'ରେ କୁଶଳ ବାରତା ।


ବିସ୍ମୟେ ଭାଳିଲି କ୍ଷଣିକରେ

ସେ ତ ଅସାମାନ୍ୟ ଜୀବଟିଏ

ଯା'ର ମୁଖେ ମାନବୀର ମୁଖା

ଅର୍ଦ୍ଧାଙ୍ଗ ଶରୀରରେ ମତ୍ସ୍ୟର ଆବରଣ

ସେ କି ଅଟେ ମତ୍ସ୍ୟକନ୍ଯା ମତ୍ସ୍ୟଗନ୍ଧା?

ହେଉଥିଲା ତନୁ ମନ ପ୍ରାଣ

ଆନ୍ଦୋଳିତ ଉଦବେଳିତ

ବାରମ୍ବାର ଶତ ସହସ୍ର ବାର

ଭାଳୁଥିଲି ସେ କି ଦେବ ଉତ୍ତର

ମୋର ସମସ୍ତ ପ୍ରଶ୍ନର?

ମୋ ସ୍ବପ୍ନ କଥାର?

ଅବା ରହିଯିବ ମୋ

ମନର ଜିଜ୍ଞାସା ମନରେ ଗୋପନ

ହୋଇ ନିରୁତ୍ତର ଚିରଦିନ ।


ସାଗର ବେଳାରେ ପହଞ୍ଚିବା କ୍ଷଣି

ହୋଇଲା ଦୂର ସକଳ ସଂଶୟ

ସ୍ବପ୍ନେ ଦେଖିଥିଲି ଯାହା ଯେପରି

ବାସ୍ତବେ ପ୍ରତୀତ ହୁଅଇ ଅକ୍ଷର ଅକ୍ଷରେ

ମନେ ବାନ୍ଧି ଦୃଢ଼ ଆତ୍ମବିଶ୍ୱାସ

ଅଦମ୍ୟ ଇଚ୍ଛାଶକ୍ତି ଓ ସାହାସ

ଶଙ୍କିତ ନେତ୍ରେ କମ୍ପିତ ଓଷ୍ଠେ

ଭରସି ପଚାରିଲି ତା'ରେ,

'କିଏ ତୁମେ ଅନିନ୍ଦ୍ୟ ସୁନ୍ଦରୀ

'କଣ ଅଟେ ତୁମ୍ଭ ନାମ

'କେଉଁଠି ତୁମ୍ଭ ବାସସ୍ଥାନ

'ମୋ ସପନରାଇଜେ କାହିଁ କର ବିଚରଣ

'କଣ ତୁମ୍ଭର ଅଭିପ୍ରାୟ

'କଣ ତୁମ୍ଭ ଆଗମନର କାରଣ

'କାହିଁ ପାଇଁ ମୋ ସ୍ବପନେ ଆସ ବାରମ୍ଵାର ।


ସେଇ ଅର୍ଦ୍ଧ ମାନବୀ ମତ୍ସ୍ୟକନ୍ଯା

ଅଦ୍ଭୁତ ବିଚିତ୍ର ଦେହଧାରୀ ପ୍ରାଣୀ

ଶୁଣି ପାରି ମୋର ପ୍ରଶ୍ନ ବାଣୀ

ସହାସ୍ଯ ସଲଜ୍ଜ ବଦନେ

ସ୍ମିତହାସ୍ୟ ରେଖା ଫୁଟାଇ

ଆପଣାର ଚାରୁ ଚନ୍ଦ୍ରମୁଖେ

ଦେଲା ଚାହିଁ ବାରେ

ମୋହର ବିସ୍ମିତ ପ୍ରଶ୍ନାତୁର ମୁହଁ

ତାହାର ସେଇ ଚତୁର ଚାହାଣିରେ

ରହିଥିଲା ଭରି ପ୍ରେମର ଇସାରା

ରକ୍ତାଭ ଓଷ୍ଠରେ ତା'ର

ଝଲସୁ

ଥିଲା ପ୍ରୀତିର ମଦିରା

ଗୋଲାପୀ କପୋଳେ ତାହାର

ଗାର ଗାର ଜଳବିନ୍ଦୁ

ଜ୍ଯୋସ୍ନାଲୋକେ ସୃଷ୍ଟି ହେଉଥିଲା

ସପ୍ତରଙ୍ଗୀ ମନୋଜ୍ଞ ଇନ୍ଦ୍ରଧନୁ ।


ଭାଳୁଥିଲି ମୁହିଁ ସନ୍ଦର୍ଶନ କରି

ତା'ର ଅପରୂପା ଯୌବନର

ତରଙ୍ଗାୟିତ ଲାବଣ୍ୟ

ସତେ ଅବା ଅମରାବତୀର

ଅପସରୀ ଗାନ୍ଧର୍ବୀଟିଏ

ଏଇ ମର୍ତ୍ତ୍ୟଲୋକେ

ଆସିଅଛି ଅବତରୀ

କରିବାକୁ ଜଳକ୍ରୀଡା ରାସକେଳି

ଲବଣାକ୍ତ ସିନ୍ଧୁ ନୀରେ

ଅବା ପାତାଳପୁରୀର

କେଉଁ ନିଷିଦ୍ଧ ରାଜ୍ୟର ରାଜକୁମାରୀ

ଆସିଅଛି ଭେଦକରି ଧରଣୀର ଗ୍ରନ୍ଥୀ

କରିବାକୁ ସନ୍ତରଣ ଅଗାଧ ଜଳରେ ।


ମୋହରି ଭାବନା କଳ୍ପନାରେ

ଆଙ୍କି ଦେଇ ଭାବାନ୍ତର

ସେଇ ଦିବ୍ୟ ଲଳନା ବଦିଲା,

"ମୁହିଁ ସିନ୍ଧୁରାଜ କନ୍ଯା ଜଳପରୀ

ନାମ ମୋର 'ସିନ୍ଧୁସୁଧା'

ଲଭିବାକୁ ତୁମ ପ୍ରୀତିର ଚନ୍ଦନ

ଆସିଅଛି ଧାଇଁ ପାରକରି

ସପ୍ତନଦୀ ସପ୍ତସିନ୍ଧୁ ବାରି

ତୁମରି ସନ୍ଧାନେ ସ୍ବପ୍ନରେ

ଦେଇ ତୁମ୍ଭକୁ ଇଙ୍ଗିତ ବାରମ୍ବାର

ଭଗ୍ନ ମୁଁ କରିଛି ନିଦ୍ରା ତୁମ୍ଭର" ।


ଅପଲକ ବିସ୍ଫାରିତ ନେତ୍ରେ

ମୁଁ ରହିଥିଲି ଚାହିଁ ତାହାରେ

ଏକଇ ବଚନ ସୁଦ୍ଧା

ମୋହର କଣ୍ଠରୁ ନସ୍ଫୁରେ 

ସତ୍ଯ କି ସ୍ବପନ ମୋର

ନହୁଏ ତିଳେ ବି ପ୍ରତ୍ଯୟ

ଦେଖି ମୋର ତ୍ରିଶଙ୍କୁ ଅବସ୍ଥା

ଭୀତତ୍ରସ୍ତ ଶଙ୍କିତ ବଦନ

ସିନ୍ଧୁସୁଧା ସ୍ଫୁରିଲା ରସାଳ ସ୍ବରରେ,

"ଚାଲ ପ୍ରାଣବନ୍ଧୁ ଆମେ ଯିବାଚାଲି

ପାରକରି ନୀଳ ବାରିରାଶି

ମୋହରି ସୁରମ୍ୟ ଦ୍ବୀପେ

ତୁମେ ହେବ ରାଜା ମୋର

ମୁଁ ତୁମ ରମଣୀ ରାଣୀ

ଅମାପ ସୁଖ ସମ୍ଭୋଗେ

କଟାଇବା ଜୀବନ ବିପଣି ।


କିଂକର୍ତ୍ତବ୍ୟବିମୁଢ ଚିତ୍ତ ମୋର

ସତେ ଅବା ପଞ୍ଚଶରରେ

ଆଘାତ କରିଛି ମଦନ!

କିଛି ବି ଚିନ୍ତିବା ପୂର୍ବରୁ

ସେ ଅପରୂପା ସୁନ୍ଦରୀ

ସିନ୍ଧୁସୂତା ଜଳପରୀ

ନେଲା ଟାଣି ମୋର ହସ୍ତ ଧରି

ଅଥଳ ଜଳ ମଧ୍ୟେ

ଦେଲା ଆଙ୍କି ତାହାରି

ଆରକ୍ତ ସୁମିଷ୍ଠ ଅଧରେ

ମୋହରି ତୃଷିତ ଓଷ୍ଠଧାରେ

ଉଷ୍ମ ଚୁମ୍ବନ ଉତ୍ତାରୁ ଚୁମ୍ବନ

ଅଜ୍ଞାତ କମ୍ପନେ କମ୍ପିଉଠେ

ତାଳୁରୁ ତଳିପା ମୋ ଅଷ୍ଟାଙ୍ଗ ଶରୀର

ଗଲା ବର୍ଷି ପ୍ରଣୟର

ସୁଶୀତଳ ବାରିଧାରା

ମୋ ଉତ୍ତପ୍ତ ବିଦଗ୍ଧ ପ୍ରାଣରେ ।


ବେନି ପ୍ରାଣୀ ପାଉଥିଲୁ ପ୍ରଣୟ ପରଶ

ଲଭୁଥିଲୁ ଅପାର ପୁଲକ

ଆଙ୍କୁଥିଲୁ ଅଙ୍ଗେ ଅଙ୍ଗେ

ପହିଲି ପ୍ରଣୟର କାରୁକିର୍ତ୍ତୀ

ତୋଳୁଥିଲୁ ଓଷ୍ଠେ ଓଷ୍ଠେ

ସୁମିଷ୍ଠ ଯନ୍ତ୍ରଣାର ସ୍ବରଲିପି

ଦୁହି ଦେହୀ ହୋଇ ଏକାକାର

ସୃଷ୍ଟି ହେଲା ପ୍ରଣୟ ଝଙ୍କାର

ଅନିର୍ବାଣ କାମନାର ଅଗ୍ନିଶିଖା ମୋର

ଲଭିଲା ଆତ୍ମତୃପ୍ତିର ସଲିଳ ନିର୍ବାଣ ।


Rate this content
Log in

Similar oriya poem from Romance