ଜହ୍ନରେ ତତେ ମୋ ରାଣ
ଜହ୍ନରେ ତତେ ମୋ ରାଣ
ଜହ୍ନରେ ତତେ ମୋ ରାଣ,
ଭୁଲରେ ଯେମିତି କାହାକୁ ନକହୁ|
ମୁଁ ଜାଣେ ତୁ ସବୁ ଜାଣୁ
କେମିତି ନଜାଣିଥାନ୍ତୁ ଯେ
ତୁ ହି ତ ଜଣେ ଯାହାକୁ ମୁଁ ସବୁ କହେ |
ଅଧ ରାତିରେ ସେ ଝରକା ଖୋଲି
ମନର କୋହକୁ ଚାପି ଧରି
ଯେତେବେଳେ ମୁଁ ଆକାଶକୁ ଚାହେଁ
ତୁ ହି ତ ଥାଉ ସେଇଠି
ମତେ କୋଳକୁ ନେଇ ବୁଝେଇବାକୁ|
ବେଳେବେଳେ ଏଇ ଅମାନିଆ ଲୁହ
ଯେବେ ବନ୍ଧ ଭାଙ୍ଗେ,
ତୁ ଅତି ଆଦରରେ
ତୋ ପାପୁଲିରେ ମୋ ମୁହଁକୁ ରଖି
ସ୍ନେହରେ ମୋ ମଥାକୁ ଆଉଁସିଦେଉ|
ତୋର ମନେ ଅଛି?
ବେଳେବେଳେ ତୁ ଲୁଚି ଯାଉ ବାଦଲ ଭିତରେ
ଆଉ ବେଳେବେଳେ ଆସିନଥାଉ|
ମୁଁ ଜାଣେ, ତୁ ଜାଣିଶୁଣି ମତେ ହଇରାଣ କରୁ
ମୋ ଅପେକ୍ଷାର ପରୀକ୍ଷା ନଉ |
ଏଇ ଲୁଚକାଳି ଖେଳ ଭିତରେ
ମୋ ମନର ସବୁ କଥା
ଖୋଲି କହିଛି ତତେ ବିନା ଦ୍ୱନ୍ଦ୍ୱରେ |
ମୋ ପ୍ରେମର ମୁକ ସାକ୍ଷୀ ଏବଂ
ମୋ ପ୍ରେମ କାହାଣୀର ଡାଇରି ତୁ |
କାହାଣୀ ସିନା ଲେଖିଥିଲି ମୁଁ
ହେଲେ କିଛି କଥା ରହିଗଲା
ମୋ ମନ ଭିତରେ,
ନା ସେ କେବେ ସୁଯୋଗ ଦେଲେ
ନା ମୁଁ କହିବାକୁ ସାହସ କଲି |
ଭାବିଥିଲି ଆଗକୁ ସମୟ ମିଳିବ,
ବହୁତ ଥର ଆମେ ଦେଖା ହବୁ|
ଦି କପ ଚା ଆଉ ଗୋଟେ କେକ୍ ସହ,
ଗୋଟେ ସନ୍ଧ୍ୟାର ଫିକା ଆଲୁଅରେ
ଦୁହେଁ ମନଖୋଲି ଗପିବୁ|
ସେ ସନ୍ଧ୍ୟା କେବେ ଆସିଲାନି |
ସେ ରାସ୍ତା ଭାଙ୍ଗି ଚାଲିଗଲେ
ନୂଆ ରାସ୍ତାରେ ଆଉ
ମୁଁ ସେ ପୁରୁଣା ରାସ୍ତାର ମଝିରେ ରହିଗଲି
ସବୁଦିନ ପାଇଁ, ଏକ ଦମ ଏକା |

