Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Classics

3  

Smita Rani Barik

Classics

ଜାନୁଆରୀ ଛବିଶ

ଜାନୁଆରୀ ଛବିଶ

1 min
125



ପାପୁଲିଏ ଲୁହରେ ଟଳମଳ ମୋର

ତ୍ରିରଙ୍ଗା ,

ଯାହାକୁ ମୁଁ ଚିତ୍ରିତ କରିଥିଲି କାଲି ଭୋରରୁ ;

ରଫ୍ ଖାତା ମଝିରୁ ଫର୍ଦ୍ଦେ ଧଳାକାଗଜ ପିଠିରେ

ମୋ ସମଗ୍ର ଭାରତ ବର୍ଷ ,

ମଥାନରେ ଢାଉ ରଙ୍ଗ ଢଳଢଳ

ପାଦ ତଳେ କନିଶିରି ଶାଗର ସବୁଜ ରକ୍ତ,

ମଝି ଶୂନ୍ୟତାରେ

ମୋ ମାଆର ପଟେ ପାଣିକାଚ ଆଧାରରେ ବୃତ୍ତ

ତା' ଭିତରେ ଅଗଣିତ ପରସ୍ପର ଛେଦ କରୁଥିବା 

ଭାଇଚାରାର ଗାର !


ଗୋଟିଏ ନହକା ବାଉଁଶ କଣି ଉପରେ ଫରଫର

ମୋ ଦେଶର ଭବିଷ୍ୟତ ,

ରାତି ଉଜାଗର ବିବିଧ ସ୍ବପ୍ନାତୁର ମନ

'ଆମେତ ଭାଗ୍ୟବାନ ପିଲାରେ....!'

ଆମେରିକା ପ୍ରଦତ୍ତ ମକାଗୁଣ୍ଡ ଜାଉ ଖାଇ

ମାଡ ଭୟରେ ଘୋଷୁଥିବା ଅବୋଧ ଶିଶୁଟିଏ ମୁଁ !

ଯେଉଁ ଦିନ ମୁଠେ ଖାଇବାକୁ ମିଳେ

ସେଦିନ ଆମେ ସ୍ବାଧୀନ,

ଯେଉଁଦିନ ମାଆ ପରଘରେ ଢିଙ୍କିର ପାହାର ଶୁଣାଏ ,

ବାପା ମୂଲ ଲାଗେ ,

ସେଇଦିନ ପରାଧୀନ !


ପ୍ରଭାତ ଫେରିର ସେଇ ଚପଳ କୋମଳ ଓଠର ଧ୍ବନି

ନିମିଷକ ପାଇଁ

ଜଡ ଦେହରେ ପ୍ରାଣ ସଞ୍ଚାର କରେ,

ଭାସିଆସେ ପବନରେ---

"ରଘୁପତି ରାଘବ ରାଜା ରାମ ,

ପତିତ ପାବନ ସୀତା ରାମ ।

ଈଶ୍ବର ଆଲ୍ଲା ତେରେ ନାମ,

ସବ୍‌କୋ ସନମତି ଦେ ଭଗବାନ ।"

 ରାମରାଜ୍ୟର ସ୍ବରୂପ ଦେଖିବାକୂ

ବାଲ୍ୟକାଳ ଜରାରେ ରୂପାନ୍ତରିତ ହୋଇଯାଏ,

ଈଶ୍ବର ଆଲ୍ଲା ଭିତରେ ଥିବା ପ୍ରାଚୀର ଅକ୍ଷୁର୍ଣ୍ଣ ରହେ,

କାଟି ପିନ୍ଧିବା ଓ କୁଟି ଖାଇବାର କୁଟିର ଶିଳ୍ପ ଉଜୁଡିଯାଏ ।

ମଦ ଦୋକାନ ଆଗରେ ପିକେଟିଂ କରୁଥିବା 

ସତ୍ୟାଗ୍ରାହୀର ଉତ୍ତର ପିଢି

ମଦ ପ୍ରଚାର ପାଇଁ ବିଜ୍ଞାପନ ବାଢେ ,

ଅନ୍‌ଲାଇନରେ ମଦ ଘରମୁହାଁ ହୁଏ 

ଗାଁ ଗାଁ ରେ ଗଳିକନ୍ଦିରେ ମଦର ପସରା ମେଲେ ।

ଲବଣ ସତ୍ୟାଗ୍ରହର ତ୍ୟାଗ ତିତିକ୍ଷା ସମର୍ପଣ

ବହୁ ନାମିଦାମୀ କମ୍ପାନୀର ଆୟୋଡିନ ଯୁକ୍ତ ଲବଣ ପ୍ରସାରରେ

ସମାଧି ନିଏ ।

ନାରୀ ଦିନରେ ସୁରକ୍ଷିତ ନୁହେଁ 

ରାତି ତ ଅନେକ ବାକି .....

ନିଷ୍ପାପ କଳିକାମାନେ ବଳିପଡନ୍ତି ଏ ଦେଶରେ !


ଶୌର୍ଯ୍ୟ ବୀର୍ଯ୍ୟର ପ୍ରତୀକ ମୋ ତ୍ରିରଙ୍ଗା,

ଶାନ୍ତି ଅହିଂସାର ପ୍ରତୀକ ମୋ ତ୍ରିରଙ୍ଗା ,

ମୁକ୍ତି ମୈତ୍ରୀର ସବୁଜ ଉପତ୍ୟକା ମୋ ତ୍ରିରଙ୍ଗା ;

ତାହାରି ଚରଣ ତଳେ କଦମ ପରେ କଦମ ବଢାଇ

 ମୁଁ କହୁଥିବି

ବନ୍ଦେ....ମାତରମ୍

ସୁଜଲାମ୍ ସୁଫଲାମ୍ ....ଶସ୍ୟ ଶ୍ୟାମଳାମ୍....

ଗାଉ ଥିବି " ଜନଗଣ ମନ ଅଧିନାୟକ ଜୟ ହେ....."

ଗଗନ ପବନ ବିଦୀର୍ଣ୍ଣ କରି ମୋ ସ୍ବର ତୁହାଇ କହୁଥିବ

ଜୟ ହିନ୍ଦ୍...!.ଜୟ ହିନ୍ଦ୍....!!ଜୟ ହିନ୍ଦ୍.....!!!


Rate this content
Log in

Similar oriya poem from Classics