STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ହସି ପାରୁନିକିପାରୁନି ରୁଷି

ହସି ପାରୁନିକିପାରୁନି ରୁଷି

1 min
289

 

  ବାପାବୋଉ ସଦା କାମରେ ଭୋଳ

  ମୋ ପାଇଁ ତାଙ୍କର ନଥାଏ ବେଳ

  ଏତେ ବଡ ଘର ଏକଲା ରହେ

  ମାଟିକୁ ଚାହେଁ ମୁଁ ଆକାଶେ ଚାହେଁ


  ଆମ ସହର ଠୁ ବହୁତ ଦୂର

  ଗାଁ ଆମର ସେ ଭାରି ସୁନ୍ଦର 

  ଗାଁ ଘରକୁ ତ ଜଗି ରହିଛନ୍ତି

   ଜେଜବାପା ଆଉ ଜେଜିମା ମୋର


  ବେଳେବେଳେ ସିଏ ବୁଲି ଆସନ୍ତି

   ମୋ ସାଥିରେ ଭାରି ମଜା କରନ୍ତି

  ଜେଜ ତ ହସାନ୍ତି ଗପ ଶୁଣାନ୍ତି

  ଜେଜିମା ମୋତେ ଗେଲ କରନ୍ତି


   ଜେଜ ଜେଜିମାଙ୍କ ଫେରିବା ବେଳେ

   ମୁହଁ ଲୁଚେଇ ମୁଁ ତାଙ୍କରି କୋଳେ

   କାନ୍ଦେ ରାହାଧରି ଚିହିରି ଚିହିରି

  ସାଥିରେ ଯିବାକୁ କହେ ବିକଳେ


  ମନହୁଏ ତାଙ୍କ ସାଥିରେ ଯାଇ

  ପଢନ୍ତି ତାଙ୍କରି ପାଖରେ ରହି

  ଖେଳନ୍ତି ବୁଲନ୍ତି ହସନ୍ତି ରୁଷନ୍ତି

  ମନ ଉଡୁଥାନ୍ତା ଆକାଶେ ଯାଇ


  ବାପା ତ ଦିଅନ୍ତି ମୋତେ ବୁଝାଇ

 ଗାଁରେ ତ ଭଲ ସ୍କୁଲ ନାହିଁ

 ପଢିବୁ କେଉଁଠି କହ ତୁ ବାବୁରେ

  ନପଢିଲେ ଯିବୁ ମୂରୁଖ ହୋଇ


ଏଇ କଥା ଶୁଣି ହସ ଲାଗେରେ

  ବାପା ବଡ ହେଲେ ସେହି ଗାଁରେ

  ମୋତେ କରିଦେବ ମୂରୁଖ କେମିତି

  ସେଇ ଗାଁ ସେଇ ମାଟି ପାଣିରେ ?


  ଜେଜ ଜେଜିମା ମୋ ଯାଆନ୍ତି ଫେରି

  ରହେ ମୁଁ ଏକଲା ମନକୁ ମାରି

   ବାପାବୋଉଙ୍କର ଫେରିବା ଯାଏତ

   ଏକା ଏକା ଯାଏ ଦିନ ମୋ ସରି


  ଏତେବଡ଼ ଘରେ ଏକଲା ବସି

  ହସି ପାରୁନିକି ପାରୁନି ରୁଷି

  ସାଙ୍ଗ ନାହାଁନ୍ତି କି ସାଥିବି ନାହାନ୍ତି

  କା ସାଥେ ଖେଳିବି ହେବି ମୁଁ ଖୁସି ?


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children