ହାରିଲି କେତେ ଜିତିଲି କେତେ
ହାରିଲି କେତେ ଜିତିଲି କେତେ
କରମ ସାଥେ ନିଇତି ଯୁଝି ଆନକୁ ଧ୍ୟାନ କାହିଁ
ହାରିଲି କେତେ ଜିତିଲି କେତେ ମନେ ବି ଧରେ ନାହିଁ ।
ପ୍ରାରବ୍ଧ କର୍ମେ ଚେତନ ରୂପେ ଆସିଛି ମୁହିଁ ଧରା
କରମ ସାଥେ ଜୀଇଁ ରହିବି ଯେମିତି ଅପାଶୋରା ।
ସକଳ ହିତେ ମତିକୁ ରଖି ହୁଅଇ ଅଗ୍ରସର
ନଥାଏ କେବେ ପରଆପଣା ଭାବନା ହୃଦେ ମୋର
ଜାତି ଅଜାତି ଧନୀ ଗରିବ ମୋ ନେତ୍ରଖୋଜେନାହିଁ
ସବୁରିଠାରେ ଏକ ଈଶ୍ବର କେବଳ ଦେଖୁଥାଇ ।
ଜଗଦୀଶ୍ବର ଯେଉଁ କରମ ଧରାଇଛନ୍ତି ହାତେ
ତାଙ୍କୁ ସୁମରି ଲାଗିଥାଏ ମୁଁ ମୋର ସାଧନା-ପଥେ ।
ସଫଳତା କେବେ ବିଫଳତା ଏତ କର୍ମ ଲକ୍ଷଣ
ଜୀବନକୁ ମୋ ଆବୋରିଥାଏ ଶିଖାଇ ନାନା ଜ୍ଞାନ
ସେ ହାର୍ ଜିତ୍ ପ୍ରଭାବ ସିନା ମୋର ମନରେ ନାହିଁ
ଈଶ୍ବର ଯାଚି ଦିଅନ୍ତି ଫଳ ଖୁସିରେ ଭୁଞ୍ଜୁଥାଇ ।
ବୃଥା ଭାବନା କରି କି ଲାଭ ସୁଖଦୁଃଖ ସଂସାରେ
କରି କରାଉଅଛନ୍ତି ବିଭୁ ଥାଇ ଦେହୀ ଦେହରେ ।