ଗୁହାରୀ ପ୍ରଭୁ ଏତିକି
ଗୁହାରୀ ପ୍ରଭୁ ଏତିକି
ଆଖିରେ ତୋହର ପଡେନି ପଲକ
ବସିଛୁ ଦୁଆର କିଳିକି
ଖୋଲିଦେ କାଳିଆ ସିଂହ ଦୁଆରକୁ
ଲଗାନାରେ ଆଉ ଭେଳିକି ।
ତୁ ଥାଉଁ ଯେବେ ବଳିଆର ଭୁଜ
ମାଡିବସେ ମହାମାରୀ
ଭୟ ଆତଙ୍କରେ ଘରେ ଗୃହବନ୍ଦୀ
କାନ୍ଦେ ଭକ୍ତ ଝୁରି ମରି
କହ ମହାପ୍ରଭୁ ଜଗନ୍ନାଥ ବୋଲି
ଡାକିବ କିଏ କାହିଁକି ।
ଖୋଲିଦେ କାଳିଆ.....
ଶ୍ରୀମନ୍ଦିରେ ତୋର ଷାଠିଏ ପଉଟି
ଭୁଞ୍ଜୁଥିବୁ ବସି ନିତି
ଅଭାବ କଷଣେ ମରିବ ପତିତ
ମ୍ଳେଚ୍ଛ ଖାଉଥିବେ ଶୋଷି
କହରେ କାଳିଆ ଭଗବାନ ତୋତେ
ମାନିବେ କିଏ କାହିଁକି ।
ଖୋଲିଦେ କାଳିଆ......
ସତରେ ତୁ ଯଦି ଅଟୁ ଭଗବାନ
ନ କର କାଳିଆ ଡେରି
ବାର ହାତ ଖଣ୍ଡା ଧରି ସୁଦର୍ଶନ
କଳ୍କୀ ଆସ ଅବତରୀ
ନାହିଁ ଗତି ମୁକ୍ତି ଉଦ୍ଧର ନରକୁ
ଗୁହାରୀ ପ୍ରଭୁ ଏତିକି ।
ଖୋଲିଦେ କାଳିଆ.....
ସିଂହଦୁଆରରୁ ରତ୍ନ ସିଂହାସନ
ମଧ୍ୟେ ବାଇଶି ପାହାଚ
ହେଉ ପରିଷ୍କାର ଜୀବନ ଜୀବିକା
ପରିବେଶ ହେଉ ସ୍ୱଚ୍ଛ
ଆଚାର ବିଚାରେ ଶିକ୍ଷା ପ୍ରଶାସନେ
ବିରାଜୁ ଆଦର୍ଶ ନୀତି ।
ଖୋଲିଦେ କାଳିଆ......