STORYMIRROR

Sreema Satapathy

Tragedy

3  

Sreema Satapathy

Tragedy

ଗୋପ ହସୁଥିଲା, ହସୁଛି

ଗୋପ ହସୁଥିଲା, ହସୁଛି

1 min
206


ଗୋପ ମୋର ହସୁଛି,

ବନ୍ଦୀର ଆତ୍ମକଥାରେ,

ତା' ହାଡ଼ ମିଶିଥିବା 

ଏ ମାଟିର ଗାଢରେ

ନିରୀହଙ୍କ ବ୍ୟଥାରେ,

ଦୁର୍ଜନଙ୍କ ବିକଟାଳ ହସରେ

ଶହ ଶହ ଅସ୍ପୃଶ୍ୟଙ୍କ ଦୁଃଖରେ

ଦାସତ୍ୱର ବେଡିରେ

ଘରେ, ବାହାରେ, ଆଖ ପାଖରେ

ହେଇ ଦେଖ ଚାରିଆଡ଼େ

ସେ ହସୁଛି।

କାନ୍ଦୁରା ଗୋପ ମୋର ହସୁଛି।


ସେଦିନ ବି ହସୁଥିଲା ତ ସେ

ହଁ ଦେଖିନ କି?

କାନ୍ଦୁରା ପୁଅଟେ ମୋର

ନଖାଇ, ନପିଇ

ଭଲ ଲୁଗା ଖଣ୍ଡେ ନପିନ୍ଧି

ଯେବେ ଅହରହ ସେବା କରୁଥିଲା

ତୁମ ପୂର୍ବଜଙ୍କର!

ଶୁଣିନ ସେ ହସକୁ?

ଇତିହାସ ପୃଷ୍ଠାରେ ଯେବେ ପଢିଲ

ଏକମାତ୍ର ପୁଅକୁ ତାର

ମରଣମୁହଁ ରେ ଛାଡି ଆସିଲା,

ସେତେବେଳେ ବି ସେ ହସୁଥିଲା।


ଦାଶରୁ ଦାସତ୍ୱ ସ୍ୱୀକାର କଲାବେଳେ

ମଣିଷକୁ 

ମଣିଷ ପଣିଆ ଶିଖାଇଲା ବେଳେ

ସବୁ ଧର୍ମଠୁ ଉପରେ 

ସେବାକୁ ସ୍ଥାନ ଦେଲା ବେଳେ

ସେ ଲମ୍ବା ଦାଢ଼ି ଭିତରୁ

ସେ ହସୁଥିଲା ।


ମରିଗଲା ପରେ

ତା'ର ଚିତା ଦାହ ପାଇଁ

ଦାଢ଼ି, ନିଶ ଚାଂଛି

ନୂଆ ପଇତା ପକାଇ 

ଆଜୀବନ ତା' ଦାସତ୍ୱକୁ

ଅଟ୍ଟହାସ୍ୟ କରି

ଅଧର୍ମୀ ସେବକଟାକୁ ବ୍ରାହ୍ମଣ ସଜାଇ

ଦାସ ରୁ ଦାଶ ବନେଇ ଦେଇ

ଜାଳିଲା ବେଳେ ବି

ସେ ହସୁଥିଲା।

ଆଜି ବି ହସୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy