ଘର ମଲମ
ଘର ମଲମ
ପାଣି ଖତ ସାର ଯତନ ଆଦର
ଚାରା-ପୁଅ ମହିରୁହ
ଦୁହିତା ଲତାଟି ଆପେ ଆପେ ଲଟେ
ଲମ୍ବିଯାଏ ଆଖିଲୁହ ।
ଅନ୍ଧର ଲଉଡି ଉଡିଯାଏ କଉଡି
ପାଠ ହେଉ ବା ନ ହେଇ
ଲବଣୀ ପିତୁଳା କାମ ସାଥେ ଫଳା
ଗିଳି ଯାଏ ପାଠ ସେଇ ।
ବଡ ସାନ କଥା ମାନେନା ଅନ୍ୟଥା
କୁ-ଭାଷାରେ ପାରଙ୍ଗମ
ପାଶେ ପାଶେ ରହି ହାତେ ହାତ ମିଶେଇ
ଘର ମଲମ ଉପଶମ ।
ବାହାଘର ପରେ ବୋହୁ ମନ୍ତ୍ରଣାରେ
ଗାଳି ମାଡ଼ ଠିଆପାଲା
ଭିନ୍ନେ ଜଳେ ଚୁଲି ସମ୍ମାନକୁ ଗଲେ ଭୁଲି
ସହର ମାରନ୍ତି ଚିଲ୍ଲା ।
ଭିନ୍ନ ଗୋତ୍ର ହୋଇ ସହି ନ ପାରଇ
ବାପା-ବୋଉର ଦହନ
ଶାଶୁଘର ଆଞ୍ଚଳେ ବାପଘର ସମ୍ଭାଳେ
ସେତୁ ସମ ସହନ ।
ଦୂରେ ଥିଲେ ମଧ୍ୟ ପଚାରି ବୁଝେ ସାଧ୍ୟ
ଦେହପା ରୋଗ ମହୌଷଧି
ତରତର ଆସି ପାଖରେ ବସି ହସି
ଖୋଇ ଦିଏ ବନୌଷଧି ।
ସମାନତା ସମ୍ମାନ ପୁଅ-ଝିଅ ସମାନ
ବୈମାତୃକ ମନୋଭାବ ମରୁ
ପିତୃ-ମାତୃ ଉଦ୍ୟାନ ଆଶିର୍ବାଦ କାନନ
ସମତୁଲ ନିକିତି ଉତାରୁ ।
