ଏକତାର ମନ୍ତ୍ର
ଏକତାର ମନ୍ତ୍ର
ଭାରତ ମାତାର ସନ୍ତାନ ଆମେରେ
ଭିନ୍ନତା ରଖିବା ନାହିଁ
ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ
ଭାବିବା ହୃଦୟେ କାହିଁ ?
ଈଶ୍ୱର,ଆଲ୍ଲା,ଯୀଶୁଖ୍ରୀଷ୍ଟ ସିନା
ପ୍ରଭୁଙ୍କର ଭିନ୍ନ ନାମ
ଏକ ତ ଈଶ୍ୱର ପୂଜା ପାଉଛନ୍ତି
ରହି ଭିନ୍ନ ଭିନ୍ନ ଧାମ ।
ଜାତି ଆମ ଏକ ଭାରତୀୟ ବୋଲି
ବିଶ୍ୱରେ ପଡୁଛି ହୁରି
ନିଜ ଭାଇ ପାଇଁ ଈର୍ଷା ରଖ ନାହିଁ
ଅତୀତକୁ ମନେ ସ୍ମରି ।
ବସୁଧା ମାଆର ପାଣି ପବନରେ
ସଭିଙ୍କ ଶରୀର ଗଢ଼ା
ବଞ୍ଚିବା ନିମନ୍ତେ ତା' ଦେହେ ଶୋଭିତ
ଫଳମୂଳ ଆମ ଲୋଡ଼ା ।
ସଭିଙ୍କ ଦେହରେ ସମାନ ରଙ୍ଗର
ରକତ ଝରୁଛି ଯେବେ
କିପରି ଏକତା ହଜୁଛି ମନରୁ
ଭାବିଛ କି କୁହ କେବେ ?
ଏକତାକୁ ଭୂଲି ସ୍ୱାର୍ଥପର ହୋଇ
ପରାଧୀନ ହେଲେ ଆମେ
ସ୍ୱାଧୀନତା ବେଳେ ସଭିଙ୍କ ହୃଦୟ
ଯୋଡ଼ାଥିଲା ଭ୍ରାତୃପ୍ରେମେ ।
ମହାପୁରୁଷଙ୍କ ଜୀବନ କାହାଣୀ
ପଢିଲେ ପାରିବ ଜାଣି
ଜାତିଭେଦ ଭୂଲି ସେବା କରୁଥିଲେ
ସଭିଙ୍କୁ ଆପଣା ମଣି ।
ସେହି ପୂର୍ବଜଙ୍କ ବଂଶଧର ସର୍ବେ
ଶପଥ ନେବାରେ ମିଶି
ଏକତାର ମନ୍ତ୍ର ଗାଉଥିବା ସଦା
ନିର୍ମଳ ମନରେ ହସି ।
