ଏକ ଅନନୁଭୂତ କ୍ଷଣେ
ଏକ ଅନନୁଭୂତ କ୍ଷଣେ
କୁଢ଼ କୁଢ଼ ଶବର ପିଢାପରେ ବସି
ମୁଁ ଆଜି ଇଶ୍ଵରଙ୍କୁ ହାତ ଠାରି ଡାକେ,
ଆସ ଥରେ ଦେଖିଯାଅ ତୁମ ଗଢ଼ା ହାଡ ମାଂସ ଦେହ
ଏବେ ସବୁ ପରିତ୍ୟକ୍ତ
ସବୁ ପୁଣି ଶଢା ଶଢା ବାସେ
ହାଡ ମାଂସ ସ୍ଵୀକାରରେ ଅବୟବ ସବୁ
ଏଠି ତୁମ ସ୍ପର୍ଶେ ଉଦ୍ଜୀବିତ
କେମିତି, କାହିଁକି ଉତ୍ତର ମୁଁ ଖୋଜେ।
ବ୍ୟାପ୍ତ ଏଠି ହାହାକାର
ଆସି ଦେଖ ଥରେ
ମୋ' ଅହଂକାର
ମୋ ପାରିବା ପଣିଆ ରାଜ୍ୟେ
ସବୁ ସ୍ତବ୍ଧ ସବୁ ତ ନୀରବ
ଶବ୍ଦ ସବୁ କ୍ଳାନ୍ତ ଆଉ ଶୁପ୍ତପ୍ରାୟ ଶେଷେ,
ନିର୍ବାକ ଜୀବନ ଏଠି ଭିଟାମାଟି ଖୋଜେ।
ଅମାନିଆ ଆଖି ଲୁହ ପାପୁଲିରେ ପୋଛେ
ପାଦ ତଳ ଫୋଟକାରେ ଲିପି
କେବେ ତା'ର ଆକାରକୁ ମାପେ
ନିରିଖେ ସେ ଅପଲକ ନେତ୍ରେ ଆଗକୁ ଆଗକୁ
ପୁଣି ନୂଆ ସ୍ଵପ୍ନ, ପୁଣି ନୂଆ ଆଶା
ପାଇବାକୁ ଦ୍ଵନ୍ଦ ମନେ ଖୋଜେ।
ସମ୍ପର୍କର ଉଦଘୋଷିତ ବିବର୍ତ୍ତନ
ଉଦ୍ଧାମ ଜୀବନଚର୍ଯ୍ୟା ରେ ବିରାମ ଟେ ପାଇଁ
ପୁଣିଥରେ ସମୁଦ୍ରରେ ଉତ୍ତାଳ ଜୁଆର
ନୀର୍ବାପିତ କରିବାକୁ ସବୁ ଅହଂକାର
ଭୂତାଣୁର ମାୟାରୂପେ ନିର୍ମମ ପ୍ରହାର
ସବୁ ଧାର୍ଯ୍ୟ -କିମ୍ବା ତୁମ ମାୟାର ପ୍ରଚାର ।
ଭାବେ ଅନୁକ୍ଷଣେ
ସୃଜନ ତୁମର ଯହିଁ ମହାଦୃମ, ଦୁର୍ବାଦଳ
ପୁଣି ପ୍ରେମ, ସ୍ନେହ ସୌହାର୍ଦ୍ଦ୍ୟର
ସର୍ଜନା ଓ ବିନାଶ କରାଳ;
ଅଛି କିମ୍ବା ଆବଶ୍ୟକ
ସତ୍ୟ ସାଥେ ମିଥ୍ୟାର କାତୋଳ ।
ମନରେ ସଂଶୟ ଆସେ-
ତୁମେ କି ଭାଙ୍ଗିବ ସତେ ସୃଷ୍ଟିର ନିୟମ
ପୁଣି ଅବା ଗଢ଼ି ଦେବ ନୂଆ ପୃଥିବୀ ଟେ
ଯହିଁ ସନ୍ତୁଳିତ ସ୍ନେହ ପ୍ରେମ
ସନ୍ତୁଳିତ ସମ୍ପର୍କର ଭାର
ମିଛ ଆଉ ମାୟା ମମତାର
ଇଚ୍ଛା ଅଛି ଦେଖିବାକୁ ସତେ।
ପ୍ରଜ୍ଜ୍ଵଳିତ ହେବ ବୋଲି ନୂଆ ଉଦ୍ଦୀପନା
ସଞ୍ଜୀବନୀ ଖୋଜେ ମୁହିଁ ବଞ୍ଚିବାକୁ ସିନା,
କିବା ମୋହ କିମ୍ପା ଲୋଭ ସବୁ ତୁମ ସୃଷ୍ଟି;
ତୁମ ସୃଷ୍ଟି ମଣିଷ ମୁଁ ନଛାଡେ ପ୍ରବୃତ୍ତି ।
ଭୀତି ମୋର ସବୁଜିମା ଅପଚୟ ପରେ
ଥମି ଯିବ ପକ୍ଷୀର କାକଳୀ
ହଜି ଯିବ ବଗିଚାର ମାଳି
ଆୟୁଷ୍ମାନ, ଆଶୀର୍ବାଦ , ଅଳି ନଥିବ ସଂଙ୍ଖାଳି
ରହିଥିବ ଶୁଷ୍କ ମରୁଧରା
କଙ୍କାଳର କାନେ କାନେ କହିବ ମୌସୁମୀ
ଏଇ ତୁମ କୃତକର୍ମ
ପ୍ରାୟଶ୍ଚିତ ପ୍ରାୟଶ୍ଚିତ ପ୍ରାୟଶ୍ଚିତ
ଖାଲି ପ୍ରାଣ ବଳି ।