STORYMIRROR

Himanshu Shekhar Biswal

Inspirational

3  

Himanshu Shekhar Biswal

Inspirational

ବାପା

ବାପା

1 min
250

ତୁମେ ଏକ ଦିବ୍ୟଜ୍ଞାନ ମହା ସମ୍ପର୍କର,

ଏବଂ ତୁମେ ନିରବ ପ୍ରବାହ

ଏକ ମୁଗ୍ଧ ଚେତନାର।

ତୁମେ ପୁଣି ନିରହଂକାର ନିଷ୍କାମ ଆତ୍ମପ୍ରତ୍ୟୟ;

ଅବା କେଉଁ ସମ୍ମୋହିତ ଭାବନାର

ଅଲେଖା ଅଧ୍ୟାୟ।


ବିଭୋରିତ ଆତ୍ମ ଚିନ୍ତନରେ

ଦେଖେ ଯେବେ ମହା ଦିଗବଳୟ

ତା ଠାରୁ ବିଶାଳ ଲାଗେ

ତୁମ ଛାତି, ସ୍ନେହଭରା ତୁମରି ହୃଦୟ!

ଈଶ୍ଵରଙ୍କ ଆଶୀର୍ବାଦ ତୁମେ 'ବାପା' ମୋର

ତୁମେ ହିଁ ମୋ ଜଗନ୍ନାଥ ତୁମେ ଦେବାଳୟ!


ତୁମେ ଯେ ଅମୂଲ ଫୁଲ ମୁଁ ପାଖୁଡାଟେ

ତୁମେ ଯଦି ବଟବୃକ୍ଷ ମୁଁ ବାଟୋଇଟେ;

ଜୀବନ ଶୀତଳ ଭରା ତୁମରି ପରଶେ

ନିଦ୍ରା ହାରି ନିଦ୍ରା ଦେଲ କେତେ ଦିବା ଶେଷେ।


ସ୍ମୃତି କିଛି ଝାପ୍ସା ଦିଶେ ମୋ ଆରମ୍ଭରେ

ପ୍ରଥମେ ରଖିଲି ପାଦ ତୁମ ହାତ ପାପୁଲିରେ,

ବିଶ୍ଵାସର ସିଡି ଚଢି ଛୁଇଁଲି ମୀନାର,

ତୁମେ ଥିଲ ସାଥେ ବୋଲି ମାନିଲିନି ହାର୍।


ତୁମ ସ୍ଵପ୍ନ ମୋ ସ୍ଵପ୍ନ ଫରକ ଲେଖାରେ,

ସରିଯାଏ ଦିନ ନୂଆ ଜୀବନ ଖୋଜାରେ

ଦିନ ଶେଷେ ପାଇଛି ମୁଁ ସାତ ସିନ୍ଦୁକରେ

ସାଇତା ସପନ ତୁମ ସାତ ଫରୁଆରେ।


ଦୁଃଖର ମରୁରେ ତୁମେ ଆଶାର ରେଣୁଟେ ଧରି

ଚାଲୁଥିଲ ସମୟକୁ ମୂଲ ଚାଲ କରି;

ଦେଖିନାହିଁ ଲୁହ ତୁମ ଝରିବାର ମଉଳା ଆଖି ରୁ

ଜାଣିନାହିଁ ଝରିବା ଆଗରୁ କେତେ ଲୁହ ଯାଇଥିବ ମରି।


ତୁମ ମୋ ଭିତରେ 'ବାପା' ପିଢିର ପ୍ରାଚୀର

ତଥାପି ନିରବ ତୁମେ ନ ହୋଇ ଅସ୍ଥିର,

ତୁମରି ପ୍ରତୀକ ମୁଁ, ତୁମେ ମୋର ପରିଚୟ

ତୁମେ ଥିଲେ ପାଖେ ଗଡ କରିବି ମୁଁ ଜୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational