ଏ ପରା ଅଫେରା ପଥ
ଏ ପରା ଅଫେରା ପଥ
ଏମିତି କାହିଁକି ବସି ଏକୁଟିଆ
କୁହୁଳୁଛୁ ତୁଚ୍ଛାଟାରେ
ଯିବାର ଥିଲା ତ ସିଏ ଚାଲିଗଲା
ମିଳିବକି ସିଏ
ଯେତେ ତୁହି ଝୁରି ହେଲେ !
ନୀଳ ଆକାଶର
ଧଳା ଜହ୍ନ ପରି
ମନକୁ କରିଦେ ସ୍ୱଚ୍ଛ
ଆଗକୁ ପଡିଛି ଅନେକ ପଥ ତୋ'
ଚଢିବୁ ପାବଚ୍ଛ ପାବଚ୍ଛ
ହୃୟୟରୁ ସବୁ ଅଳନ୍ଧୁ କାଢି ଦେ
ବଞ୍ଚିବାଟା ପୁଣି ଶିଖ୍
ଯାହା ଚାଲିଗଲା ଅତୀତ ତୋ' ପାଇଁ
ସବୁ କିଛି ଯାଆ ଭୁଲି ।
ପ୍ରୀତିର ମହାର୍ଘ୍ୟ ମିଳିବନି ଆଉ
ଯେତେ ମୁଣ୍ଡ କୋଡି ହେଲେ
ପାଉଁଶ ଗଦାରୁ ଉଠି ସେ କି ଆସିବ
ତୁ' ଏକୁଟିଆ ବସିଥିଲେ !!
ସ୍ମୃତିକୁ ସାଉଁଟି ବଞ୍ଚିବାକୁ ହେବ
ହୃଦୟ କରି ପଥର
ଉଡିଗଲା ଆତ୍ମା ଲେଉଟିବକି ଆଉ
ତୁ' ଚେଷ୍ଟା କଲେ ବାରମ୍ବାର
କୋହଭରା ତୋର ହୃଦୟ ତଟରୁ
ଥରେ ଛାଡିଦେ ଦୀର୍ଘଶ୍ୱାସ
ଏକୁଟିଆ ଆଉ କାହିଁକି ବସିବୁ ଯେ
ଏ ପରା ଅଫେରା ପଥ ।
