ଦରଦୀ ବନ୍ଧୁ
ଦରଦୀ ବନ୍ଧୁ
ଦରଦୀ ବନ୍ଧୁ ହେ
ଦୀନବନ୍ଧୁ ପ୍ରଭୁ
ଗୁହାରୀ ନ ଶୁଣ କାହିଁ,
ତୁମେ ପରା ପ୍ରଭୁ
ଭକ୍ତ ଭାବଗ୍ରାହୀ
ମଉନ କିମ୍ପା ଗୋସାଇଁ ।।
ଡାକୁଅଛି ମୁହିଁ
ଥକିବା ପର୍ଯ୍ୟନ୍ତ
ମୋ ବେଳକୁ କାହିଁ ମୌନ,
ମାଗୁନାହିଁ ମୁହିଁ,
ମୋ ପାଇଁ ହେ ପ୍ରଭୁ
କିଛି ଦଉଲତ ଧନ ।।
ଜଗତ ଠାକୁର
ଜଗତର ନାଥ
ଦେଖ ଥରେ ଏ ଜଗତ,
ନାହିଁ ଆଉ ଧର୍ମ
ନାହିଁଟି ସୁକର୍ମ
ନାହିଁ ତିଳେ ଆଉ ସତ ।।
ଅନ୍ୟାୟ ଦୁର୍ନୀତି
ଲହଡ଼ି ଭାଙ୍ଗୁଛି
ତୁମ ଜନ ସମୁଦ୍ରରେ,
ଦରଦ ନାହିଁ ହେ
ଦୀନ ଦୁଃଖୀ ପାଇଁ
ଶୋଇଛ କି ମଉନରେ ।।
ହାହାକାର ମୟ
ଚାରିଆଡ଼େ ପ୍ରଭୁ
ଏ କି ତୁମ କଳିଯୁଗ,
ଅଧର୍ମକୁ ନାଶୀ
ଧର୍ମର ବିଜୟ
କର ଆହେ ମହାଭାଗ ।।
ଦରଦୀ ବନ୍ଧୁ ହେ
ଦରଦ ଦେଖାଅ
ଚାରିଆଡ଼େ ଉଡ଼ୁ ବାନା,
ବିଶ୍ୱାସ ଭକତି
ଥାଉ ଭକ୍ତ ପ୍ରୀତି
ହୋଇଣ ହେ ଦୃଢ଼ ମନା ।।