ହେ ନିଷ୍ଠୁର ଯୁଦ୍ଧର ସୌଦାଗର
ହେ ନିଷ୍ଠୁର ଯୁଦ୍ଧର ସୌଦାଗର
ବନ୍ଦ କର ଯୁଦ୍ଧ କାହିଁକି ବୁହାଅ ରକ୍ତ ନଈ
ନିର୍ବାପିତ କର ଅଗ୍ନି ସ୍ଫୁଲିଙ୍ଗ
ଯୁଦ୍ଧ କଣ ଜରୁରୀ ଆମରି ପାଇଁ ।
ଆମେ ଶାନ୍ତି ଚାହୁଁ ଜୀବନ ଚାହୁଁ
ଚାହୁଁ ହୃଦରୁ ହୃଦ ଛୁଇଁବା ପାଇଁ
ପ୍ରେମର ଗଙ୍ଗା ରାଷ୍ଟ୍ରରୁ ରାଷ୍ଟ୍ର ବୁହାଅ ଭାଇ।
ମୃତ୍ୟୁ ତାଣ୍ଡବ ନ ରଚୁ ଏ ସୁନ୍ଦର ପୃଥିରେ
ମଶାଣୀ ନ ପାଳଟୁ ଗାଁ ସହର ବନ୍ଧୁ
ଶବ ପାଉଁଶରେ ନ ଉଡୁ ପବନରେ।
ତୁମେ କଣ ଆଖି ଥାଇ ଅନ୍ଧ ଦେଖି କି ପାରୁନ
ଆମ ଉଜୁଡା ଜୀବନ କ୍ଷେତର
ବାଡ଼ ଭଙ୍ଗା ଜୀଇଁବା ଫସଲ ସ୍ୱପ୍ନର ।
କେମିତି ଭୁଲିଲ ଶ୍ମଶାନ ଶୂନ୍ୟତା
ଛାତିଥରା କାଳର କରାଳ ରୂପ
ବିଶ୍ୱ ଅସହାୟ କରୁଣ ଛବିର ଗାଥା ।
ହରେଇ ହରେଇ ଆମେ ଏବେ ନିସ୍ୱ
ଏଇ ଦେଖ ଆମେ ଏବେ ଏବେ
ଅଣ୍ଟା ସଲଖି ଠିଆ ହୋଇଛୁ ରେ ବିଶ୍ୱ।
ଅନ୍ତସ୍ବର ଜାଗ୍ରତ କରହେ ଯୁଦ୍ଧ ପିପାସୁ ନର
ଚେତନାର ସ୍ତରକୁ ଉତ୍ତରିତ ହୋଇ
ଖୁସିର ଅନ୍ୱେଷଣ କର ମିତ ମୋର।
କଣ ମିଳିବ ଏ ଯୁଦ୍ଧରୁ କାହିଁକି ଏ ଲଢେଇ
ତୁମେ କଣ ପାରିଲ ଭୁତାଣୁଟିଏ ରୋକି
କଣ ପାଇଁ ଏତେ କର ବଡେଇ ।
ସମୟର ସାପଶିଡି ଖେଳେ ନାକେଦମ
ଜୀବନ ଜୀଇଁବା ଓ ଜଗତ
ଲହୁ ଲୁହାଣ ଜୀବନ ଜୀବିକା ଏକଦମ।
ପୁଣି ତୁମେ କାହିଁକି ଏ ଘଡିସନ୍ଧି କ୍ଷଣେ
ଡାକି ଆଣ ବନ୍ଧୁକ,ଗୋଳା ବାରୁଦ
ଗତି କର ଧ୍ୱଂସର ଅନ୍ଧକାରେ ରଣେ।
ଆମେ ହିଁ ହାରିବୁ ଯୁଦ୍ଧ ଶେଷରେ
ଭଙ୍ଗା ହୋଇଥିବା ସବୁ ଗଢ଼ାହେବ
କିନ୍ତୁ ମୋ ପରି କିଛି ପିଲା ଥିବେ କି ମହିରେ ।
ହେ ନିଷ୍ଠୁର ଯୁଦ୍ଧର ସୌଦାଗର ବନ୍ଦ କର
ଯୁଦ୍ଧର ସଉଦାପ୍ରେମ ଦିଅ ପ୍ରେମ ନିଅ
ପ୍ରେମରେ ବଞ୍ଚ ଓ ବଞ୍ଚାଅ ଏ ସଂସାର।
ଆମଠୁ ଆମ ଜୀବନ ଜବର ଦସ୍ତି ଛଡେଇ ନିଅନି
ବଞ୍ଚିବାକୁ ଚାହୁଁ ଜୀବନକୁ ଜୀଇଁବାକୁ
ଆମକୁ ଏପରି ଭାବେ ଶେଷ କରନି।