ଦୋହା ସପ୍ତକ : କୋଣାର୍କ ........
ଦୋହା ସପ୍ତକ : କୋଣାର୍କ ........
ଚନ୍ଦ୍ରଭାଗା କୂଳେ ତାରା ମଉଳିଲେ
ମେଘ ଡେଣା ପରେ ବସି
ଚୂନି ଚୂନି ତୁଳା ନୀଳିମା ପଖଳା
ଦିଗ୍ ବଳୟେ ଯାଏ ମିଶି।
ଆହତ ଗୌରବ କଳାର କୌସ୍ତୁଭ
ନିରବେ ଦଣ୍ଡାୟମାନ
କୋଣାର୍କ ର କୋହ ଭାସି ବୁଲୁଥାଏ
ଆଭୂମ କ୍ଷିତି ପବନ ।
ଦିବ୍ୟ ଅର୍କକ୍ଷେତ୍ର ଭବ୍ୟ ସୂର୍ଯ୍ୟାଳୟ
ମନ୍ତ୍ରଣା କଲା କି କଏ?
ଦେବଗଣ ଅବା ପ୍ରକୃତି କୋପରେ
ଧ୍ବଂସ ମୁହେଁ ଆଜି ସିଏ ।
ପ୍ରତି ଉତ୍କଳୀୟ ଅନ୍ତରେ ସଂଚରି
କାଳଗର୍ଭେ ହୁଏ ଲୀନ
ଭାରତ ଭୂଖଣ୍ଡ କୋଣ ଅନୁକୋଣେ
କିରତି ନାହିଁ ତା'ସମ ।
ଶାଳ ଭଂଜିକାର ସମୁଦ୍ର ତର୍ପଣ
କ୍ଷୀତି ଓ ପୃଥିବୀ ରତିବନ୍ଧ ମାନ
ପଥର ବୁକୁରେ କଳିଙ୍ଗ ଶିଳ୍ପୀ ର
ରମ୍ୟ ସଂରଚନା କାବ୍ୟାୟନ ।
ନବଗ୍ରହ ପାଟ ନୃତ୍ୟ ରଙ୍ଗେନଟୀ ନଟ
ଜୀବନ ଚର୍ଯ୍ୟାର ଚକ୍ର
ଅରୁଣ ପ୍ରଭାରେ ଉଦ୍ଭାଷିତ କ୍ଷେତ୍ର
ସ୍ବନାମଧନ୍ୟ କୋଣାର୍କ ।
କେତେ ଇତିହାସ ଗ୍ରନ୍ଥ ସାହିତ୍ୟ
ସହସ୍ର ଆଲେଖ୍ୟ କାବ୍ୟ
ହୃଦୟ ମନ୍ଦିରେ ଆଜି ବି ଝଟକେ
ଅପରୂପ କୀର୍ତ୍ତି ସ୍ତମ୍ଭ ।
******୦*******୦*******୦*******୦*******
© ଡ ବିଦ୍ୟୁତପ୍ରଭା ଗନ୍ତାୟତ
