ଧନୁଯାତ୍ରା
ଧନୁଯାତ୍ରା
ମଥୁରା ନଗର ଚହଳ ପଡୁଛି
ଧନୁ ଯାତ୍ରା ହେଉଅଛି
କୃଷ୍ଣ ବଳରାମ ଆସିବେ ମଥୁରା
କଂସ ବାରତା ଦେଇଛି ।
ଲକ୍ଷ୍ୟେ ପଦ୍ମ ଭାର ଧରି ଆସିବେ ସେ
ମନ୍ତ୍ରୀ ଅକ୍ରୁର ଯାଇଛି
ରାମ କୃଷ୍ଣ ବେନି ଭାଇ ମାରିବାର
କଂସ ଯୋଜନା କରିଛି ।
ଆନନ୍ଦରେ ଉଲ୍ଲାସ ଛୁଟିଛି ନଗର
କୁବୁଜା ଚାହିଁ ରହିଛି
ଧୋବାକୁ ସେ ମୁକ୍ତି ଦେଲେ ରାମ କୃଷ୍ଣ
କୁବଳୟା ଚାହିଁ ଅଛି ।
କୁବଳୟା ହସ୍ତୀ ମାରି ସେ ଗମନ୍ତି
ମଲ୍ଲବୀର ହସୁଅଛି
ତାକୁ ମାରି ଦୁଇ ଭାଇ ଚଳିଗଲେ
କଂସ ଛାତି ଥରୁଅଛି ।
ଯୁଆଡେ ଚାହିଁଲା କୃଷ୍ଣ ସେ ଦେଖିଲା
ମନେ ଭୟ ପଶି ଅଛି
ବିକଟାଳ ହସ ଶୁଭୁଛି ତାହାକୁ
ଯମକୁ ସେ ଦେଖୁ ଅଛି ।
ଧନୁଯାତ୍ରା ସିନା କଲା କୃଷ୍ଣ ପାଇଁ
ନିଜେ ପ୍ରମାଦ ଗଣୁଛି
ସେ କ'ଣ ମାରିବ ଗୋପ କଳାକାହ୍ନୁ
ଭୟ ତାକୁ ଖାଉଅଛି ।
ଯେତିକି ଶ୍ରୀକୃଷ୍ଣ ନିକଟ ହୁଅନ୍ତି
ପଛକୁ ସିଏ ହଟୁଛି
ଭୟଭୀତ ହେଇ ଶେଷେ କଂସ ମାମୁଁ
ମଞ୍ଚା ଉପରେ ବସିଛି ।
ଅତି ନିକଟକୁ ଗମନ୍ତେ ଶ୍ରୀକୃଷ୍ଣ
କଂସ ଚିତ୍କାର କରିଛି
ମଞ୍ଚର ଉପରୁ ତଳେ ପଡି କଂସ
ନିଜେ ପରାଣ ହାରିଛି ।
ଏବେବି ସେ ଧନୁଯାତ୍ରା ବରଗଡେ
ପ୍ରଚଳିତ ହେଉଅଛି
ଧନୁମୁଆଁ ଏଇ ପଉଷ ମାସରେ
ଆନନ୍ଦେ ଖିଆ ଯାଉଛି ।
ଓଡିଶା ସଂସ୍କୃତି ପରମ୍ପରା ଆମ
ଚିରକାଳ ରହି ଅଛି
ଏଇ ଧନୁଯାତ୍ରା ଏବେବି ହେଉଛି
ତନୁ ମନ ମୋହୁ ଅଛି ।
ଅତୀତ ହେଇଛି ସେ ପୁରାଣ ଗାଥା
ନା କିଏ ଭୁଲି ପାରିଛି
ସେଇ କଂସ ସିନା କୃଷ୍ଣ ମାରିଥିଲେ
ନର କଂସ ବଞ୍ଚି ଅଛି ।
ତାର କବଳରୁ ଏଇ ଜଗତକୁ
କିଏ ବା ରଖି ପାରୁଛି
ସେଇ ଅତ୍ୟାଚାର ଏଇ ଧନୁଯାତ୍ରା
ମନେ ପକେଇ ଦେଉଛି ।
ଏବେବି ଦୁର୍ନୀତି ଶୋଷଣ ଚାଲିଛି
ଭ୍ରଷ୍ଟାଚାର ବଢିଅଛି
ଧନୁଯାତ୍ରା ଆଳେ ଆସ ହେ ଶ୍ରୀକୃଷ୍ଣ
ଧରିତ୍ରୀ ମାତା କାନ୍ଦୁଛି ।।