ଦେବାସୁର ଭାବ
ଦେବାସୁର ଭାବ
ମରତ ଭୂମିରେ ରହିଅଛି ପୁରି
ଦେବ ଅସୁର ସ୍ଵଭାବ
ଏଇଠି ସରଗ ଏଇଠି ନରକ
କିଛି ନାହିଁ ତ ଅଭାବ ॥
ଶୁଣିଛି ସରଗେ ଦେବତା ନିବାସ
ନରକରେ ପାପୀଜନ
ଫେଡ଼ିଣ ନୟନ ଚାହାଁ ପୁନଃ ପୁନଃ
ପାଇବୁ ଏଠି ସନ୍ଧାନ ॥
ଆମରି ସଲିଳେ ଆମ ସମୀରଣେ
ଭରିଛି ଐଶୀ ଶକତି
ଆମରି ମାଟିରେ ଆମ ବୃକ୍ଷମୂଳେ
ମିଳେ ପରମ ପ୍ରଶାନ୍ତି ॥
ଆମରି ସୁରୁଜ ଆମରି ଖଣିଜ
ସଦା ଆମ ଉପକାରୀ
ଦାତାରୁ ଦେବତା ଜାଣନ୍ତି ସକଳେ
ମରତ ନୁହେଁ କି ସରି ? ॥
କେତେ ସାଧୁସନ୍ଥ ଏଇଠି ଜନମି
ପ୍ରକଟିଛନ୍ତି ଦେବତ୍ଵ
ଯୀଶୁ ବୃଦ୍ଧଦେବ ଗାନ୍ଧୀ ଗୋପବନ୍ଧୁ
ବିଚାର ଧାରା ମହତ୍ଵ ॥
ପର ପାଇଁ ଏଠି ଦାନୀ ହରିଶ୍ଚନ୍ଦ୍ର
ରାଜ୍ୟକରିଥିଲେ ଦାନ
ନରରାଣ ଶିବି ଅଙ୍ଗୁକାଟି ମାଂସ
ଅପରେ କଲେ ପ୍ରଦାନ ॥
ଦେବତ୍ଵର ଭାବ ପୁରିଛି ମରତେ
ଅନ୍ୟଦୁଃଖେ ଲୁହ ଝରେ
ଭଲ କାର୍ଯ୍ୟକଲେ ଦେବତ୍ଵ ଆସନ
ମିଳଇ ଅବନୀ ପରେ ॥
ଏ ଭୂମିରେ ପୁଣି କାମ-କ୍ରୋଧ-ଲୋଭ
ସ୍ଵାର୍ଥ ଗର୍ବ ଅଂହକାର
ଜୀବକୁ ଟାଣଇ ନିମ୍ନକୁ ନିମ୍ନକୁ
ଦେଖାଏ ନରକ ଦ୍ଵାର ॥
କଂସ ଦୁର୍ଯ୍ୟୋଧନ ଲାଡ଼େନ ଗଦ୍ଦାଫି
ଅପରକୁ ଦେଲେ ପିଡ଼ା
ଅପକ୍ୱ ବୟସେ ନ ଭୋଗୀ ସଂପଦ
ଅସମୟେ ହେଲେ ମଢ଼ା ॥
ଦେବାସୁର ଭାବ ଏଇଠି ସମ୍ଭବ
ଆମେତାର ରୂପକାର
ସ୍ନେହ ପ୍ରେମ ଶାନ୍ତି ଝରିଲେ ଅନ୍ତରୁ
ଏ ହେବ ଅଳକାପୁର ॥
