STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଛେଳି କୁକୁଡ଼ାଙ୍କ କଥା

ଛେଳି କୁକୁଡ଼ାଙ୍କ କଥା

2 mins
393


ମୁହଁକୁ ଶୁଖେଇ ମନ ଦୁଃଖେ ଛେଳି

    କୁକୁଡ଼ାକୁ ଡାକୁଅଛି,

ଭାଡିରୁ ତୁ ଏବେ ବାହାରି ଆ'ରେ

    ତୋ ସହ କଥା ଅଛି।


ଆଇଁଷିଆ ବାରେ ଏଇ ବର୍ଷ ରଜ

    ପଡୁଛି କି ଜଣାନାହିଁ,

ଆଉ ବଞ୍ଚିବାର ବାଟ ଦିଶୁନାହିଁ

    କ'ଣ କରିବା ଭାଇ?


କୁକୁଡ଼ା କହୁଛି ଆରେ ଖାସି ଭାଇ 

    ବଞ୍ଚିବା ଚାନ୍‌ସ ନାହିଁ,

ରଜ ଆସୁନି ଯେ ମୃତ୍ୟୁଯୋଗ ଆସେ

    କେବଳ ଆମରି ପାଇଁ।


କେଉଁ ପ୍ରାରବ୍ଧକୁ ନେଇ ଜନ୍ମ ଆମ

    ଛେଳି କୁକୁଡ଼ା କୁଳରେ,

କେଇ ମାସ ପାଇଁ ଧରା ଧାମେ ଥାଇ

    ପଡୁ ମଣିଷ ପେଟରେ।


ବିନା ମାଉଁସରେ ରଜ ପର୍ବ କ'ଣ

   ଏଠି ପାଳି ହେବନାହିଁ,

ନା ବିନା ମଦ ମାଂସେ ଅଗଷ୍ଟ ପନ୍ଦର

    ବାହାଘର ହେବ ନାହିଁ?


ନା ଛେଳି କୁକୁଡ଼ାଙ୍କ ତାଜା ମାଂସ ବିନା

   (କ'ଣ),ନୂଆ ବର୍ଷ ଆସିବନି,

ନା,ବିନା ଆଇଁଷରେ ବଡ‌ଓଷା ବାସି

    ଛାଡଖାଇ ଜମିବନି ?


ବୁଝିହୁଏ ନାହିଁ ଏ ମଣିଷ କାହିଁ

    ଏଡେ ବୁଦ୍ଧିମାନ ହୋଇ,

ନିଜ ଖୁସି ପାଇଁ ନିରୀହ ଜୀବଙ୍କ

    ରକତେ‌ ହୋଲି ଖେଳ‌ଇ ?


ଏଇ କ'ଣ ତାଙ୍କ ଶ୍ରେଷ୍ଠ ପ୍ରାଣୀ ପଦ

    ଏଇ କ'ଣ ତାଙ୍କ ଧର୍ମ,

ଏଡେ ଏଡେ ବଡ଼ ପର୍ବ ପର୍ବାଣୀରେ

    ନେଉଛି ଜୀବନ ଆମ।


ଜୀବେ‌ ଦୟା ଆଉ ନାମରେ ବିଶ୍ଵାସ

    ଭଗବତ ବାଣୀ ସାର,

ଏହାର ବିପକ୍ଷ କରୁଛି ମଣିଷ 

     ଭୁଲିଯାଏ ସ୍ଥିତି ତା'ର।


ମଣିଷ ସହିତ ପାଳିବାକୁ ରଜ

    ଯଦି ଆମ ଭାଗ୍ୟେ ଥାନ୍ତା,

ତିନିଦିନ ନୁହେଁ ବରଷଟା‌ ଯାକ 

    ରଜ ପର୍ବ ହୋଇଯା'ନ୍ତା‌।      


ଛେଳି ପୁଣି କହେ କୁକୁଡ଼ା ଭାଇରେ

    ଗତ କାଲି କଥା ଶୁଣ,

ମୋ ମାଲିକ ଘରେ ଛେଳି ବିକ୍ରି ପାଇଁ

    କରୁଥିଲା ଆଲୋଚନା।


ଆମ ଚାରିଗୋଟି ଖାସିଙ୍କୁ ବିକିବ

   କଂସେଇକୁ ଡାକି ଦେଇ,

ଭାବୁଛି କେମିତି ଏହି ସଙ୍କଟରୁ‌

   ବଞ୍ଚିବି କହରେ ଭାଇ?


କୁକୁଡ଼ା କହୁଛି ଚାଲ ଯିବା ଖସି

   ସମସ୍ତଙ୍କୁ ଡକାଇବା,

ଶ୍ରୀ ବଳଦେବଙ୍କ ଛାମୁରେ ଯାଇକି

   ଅଭିଯୋଗ ଜଣାଇବା।


ପ୍ରଭୁଙ୍କ ଦୁଆରେ‌ ଛେଳି ଓ କୁକୁଡ଼ା

   ଶହଶହ ମିଳିଗଲେ,

ମହାପ୍ରଭୁ ତାଙ୍କ ଅଭିଯୋଗ ଶୁଣି

   ଯମରାଜାଙ୍କୁ ଡାକିଲେ।


ମଦ,ମାଛ, ମାଂସ ବାରଣ ପାଇଁକି

   କଟକଣା ଲଗେଇଲେ,

ଏସବୁ ଖାଇବା ମଣିଷ ପଛରେ

   ରୋଗ ମାନଙ୍କୁ ଖଞ୍ଜିଲେ।


ଡାଇବେଟିସ ଓ ଗ୍ୟାସ୍, କ୍ଯାନ୍ସର୍

   ହାର୍ଟ ଆଟାକ୍ ଙ୍କୁ ଡାକି,

କହିଲେ ମାଂସାଶୀ ମଦୁଆ ଲୋକଙ୍କ

   ଜୀବନ ଖାଅ ହେ ଗ୍ରାସୀ।


ଏହି ରାୟ ଦେଇ ରେବତୀର ସାଇ

    ଛେଳି କୁକୁଡ଼ାଙ୍କୁ କହି,

ମଣିଷ ଜନମ ଆଗକୁ ଲଭିବ

    ମନ ଦୁଃଖ କର ନାହିଁ।


ତୁମକୁ ଯେ ପାଳି ନିଜ ସ୍ବାର୍ଥ ପାଇଁ

    ବିକୁଅଛି ବଢ଼େଇକି,

ତା'ସହ କ୍ରେତା,ମାରନ୍ତା,ଖାଆନ୍ତା

    ଦେଖନ୍ତା ଯେତେକଛନ୍ତି।


ସମସ୍ତେ ସମାନ ଭାଗିଦାରୀ ହେବେ

    ଜୀବବଦ୍ଧ ପାପ ପାଇଁ,

ଆର ଜନମକୁ‌ ଛେଳି କି କୁକୁଡ଼ା,

    କୁକୁର ହୋଇବେ ସେହି।


ଏହି ଆଶ୍ଵାସନା ରେବତୀ ରମଣ

    ଦେଇ ତାଙ୍କୁ କଲେ ଶାନ୍ତି,

ବଳିଆ ପରି କେ‌ ଠାକୁର ନାହାଁନ୍ତି

    କହୁଛି ମୂର୍ଖ ଅପର୍ତ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy