ଛବି କହୁଥିବ କଥା
ଛବି କହୁଥିବ କଥା
ନୁହେଁ ବିମ୍ବାଧର ନୁହେଁ ମୁଁ ଯତୀନ
ନୁହେଁ ଶିଳ୍ପୀ ସୁଦର୍ଶନ,
ତଥାପି ଆଙ୍କୁଛି ତୂଳୀଟିଏ ଧରି
ଚିତ୍ରରେ ଦେଇ ମୁଁ ମନ ।
ପାରିବିନି ସିନା ତାଙ୍କ ଭଳି ଆଙ୍କି
ଅମର କିରତୀ ରଖି,
ମୋ ଗାଆଁ ଭୂଇଁର ବଣ ପରବତ
ତୂଳୀରେ ଦେବି ମୁଁ ଆଙ୍କି ।
ଛବିର ଛିଟାରେ ତୂଳୀ ଲଗାଇ ମୁଁ
ସମାଜେ ଚେତନା ଭରି,
ବଦଳାଇ ଦେବି ସାରା ଜଗତକୁ
ରାମ ରାଇଜଟେ କରି ।
ବଦଳିବ ଦେଶ, ବଦଳିବେ ଜନ
ମୋ ଲେଖା ଦେବ ବାରତା,
ଶାନ୍ତି ମୈତ୍ରୀ ପ୍ରୀତି ସତ୍ୟ ଅହିଂସାର
ଛବି କହୁଥିବ କଥା ।
