STORYMIRROR

Satyaprakash Sethy, M. A(UGC NET)

Inspirational

5.0  

Satyaprakash Sethy, M. A(UGC NET)

Inspirational

ଚାରା ଗଛଟିଏ

ଚାରା ଗଛଟିଏ

1 min
14.5K


ଚାରା ଗଛଟିଏ ଯତନେ ରୋପିଲି
ନେଇ ବଗିଚାରେ ବେଳେ
ପବନର ସାଥେ ହରଷିତ ମନେ
ଥାଏ ସଦା ଏକ ମେଳେ।। 1
ମନ ମତାଣିଆ ଗାଇଣ ସେ ଗୀତ
ଖେଳଇ ଯେ ଦୋଳି ନିତି
ମନ ଉଚ୍ଚାଟିତ ଦେଖିବାର ଲାଗି
ବଢଇ ଯେ କେତେ ଭାତି ।।2
ଦେଖିଲି ତ ଗୋଟେ ଫୁଟିଲା ଯେ ତହିଁ
ସୁନ୍ଦର ସେ ଫୁଲ ଦିନେ
ଘରକୁ କରିଣ ଅତୀବ ସୁନ୍ଦର
ଉତ୍ସାହ ଭରିଲା ମନେ।।3
କହିବା ପାଇଁ ସେ ଆଗମନୀ ବାର୍ତ୍ତା
ସୁନା ଝର ଡେଣା ଝାଡ଼ି
ପ୍ରଜାପତି ଦଳ ନାଚିଲେ ସତ୍ବରେ
ପ୍ରୀତି ଭରା ତାନେ ରଡ଼ି। ।4
ଗୁଣୁଗୁଣୁ ସ୍ଵନେ ସ୍ଵାଗତିକା ଗାଏ
ଭ୍ରମର ମଧୁର କଣ୍ଠେ
ଆନନ୍ଦ ବିଭୋର ଦେଖି ତା’ର ହସ
ନାଲି ଟହ ଟହ ଓଷ୍ଠେ। ।5
ଖୁସି ଅନୁକ୍ଷଣ ପାରିଲାନି ରହି
କ୍ଷୀଣ ଭଙ୍ଗୁର ସଂସାରେ
ହଠାତ୍ ଫୁଲଟି ପଡ଼ିଲା ଯେ ଝରି
କେଉଁ ଅଜ୍ଞାତ ଦୁଃଖରେ।। 6
ମନରେ ଭରିଲା ବାର୍ଦ୍ଧକ୍ଯ ଯନ୍ତ୍ରଣା
ପାଣ୍ଡୁର ମଳିନ ଶୁଷ୍କ
ଆହା କି ବିଭତ୍ସ କି ସୁନ୍ଦର ଥିଲା
କଅଁଳିଆ ପତ୍ର ପୁଷ୍ପ ।। 7।
ପ୍ରସ୍ଫୁଟିତ ପୁଣି ଯୌବନ ତାହାର
ଗଜାଳିଆ ଟୋକା ପରି
ଏ କି ଅବା ହେଲା ଅକାଳରେ କେବା
ଝରିଗଲା ଗୋଟା ସରି।। 8
କିଏ ବା ରଖିଲା ହିସାବ ଯେ ତା’ର
ଅବ୍ୟକ୍ତ ଯନ୍ତ୍ରଣା ଅତି
କାହିଁକି ଭଲା ସେ ଏତେ ଆୟୋଜନ
ଏହି ଶେଷ ପରିଣତି।। 9


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational