STORYMIRROR

Panchanan Jena

Inspirational

4  

Panchanan Jena

Inspirational

କାହିଁକି

କାହିଁକି

2 mins
735

ମହିଳା ଦିବସରେ ନାରୀ

ଶୀର୍ଷକ ଆଲୋଚନା ସାରି

ଘରଣୀ ମୋ' ବିଛଣା ପାରି

ଏମିତି କିଛି ତର୍କ ବିତର୍କ ମାରି

କହିଲେ ତର୍ଜନୀ ନିର୍ଦ୍ଦେଶ କରି

ହେଇ ଟି ଶୁଣୁଛ


ଦେହ ତୋ ମୋର ଶରୀର ବି ମୋର

ମାଖିଲି ହଳଦୀ ତୁମ ନାଁରେ କାହିଁକି ?


ହାତ ବି ମୋର ପାପୁଲି ବି ମୋର

ଲଗେଇଲି ମେହେଁନ୍ଦୀ ତୁମ ନାଁରେ କାହିଁକି ?


ମୁଣ୍ଡ ବି ମୋର ଶିର ବି ମୋର

ନାଇଲି ଓଢଶୀ ତୁମ ନାଁରେ କାହିଁକି ?


ସିନ୍ଥି ବି ମୋର କେଶ ବି ମୋର

ପିନ୍ଧିଲି ସିନ୍ଦୁର ତୁମ ନାଁରେ କାହିଁକି ?


କପାଳ ବି ମୋର ଲଲାଟ ବି ମୋର

ଟିପିଲି ଟିକିଲି ତୁମ ନାଁରେ କାହିଁକି ?


ନାକ ବି ମୋର କାନ ବି ମୋର

ଫୋଡିଲି ଗୁଣା -ଫୁଲ ତୁମ ନାଁରେ କାହିଁକି ?


ଗଳା ବି ମୋର କାନ୍ଧ ବି ମୋର

ଓହଳେଇଲି ହାର -ମଙ୍ଗଳସୂତ୍ର ତୁମ ନାଁରେ କାହିଁକି ?


ମଣିବନ୍ଧ ବି ମୋର ହାତ ବି ମୋର

ଗଳେଇଲି ଶଙ୍ଖା- ବଳା- ଚୁଡ଼ି ତୁମ ନାଁରେ

କାହିଁକି ?


ଅଙ୍ଗୁଠି ବି ମୋର ରେଖା ବି ମୋର

ଚମକେଇଲି ମୁଦ୍ରିକା ତୁମ ନାଁରେ କାହିଁକି ?


ପାଦ ବି ମୋର ଖଡ଼ଗଣ୍ଠି ବି ମୋର

ବାଛିଲି ଗୋଡ଼ଖାଡୁ-ପାଉଁଜର ତୁମ ନାଁରେ

କାହିଁକି ?


ଆଙ୍ଗୁଳି ବି ମୋର ଗୋଡ ବି ମୋର

ଖେପିଲି ଝୁଣ୍ଟିଆ ତୁମ ନାଁରେ କାହିଁକି ?


ଗୁରୁଜନଙ୍କ ପାଦ ଛୁଏଁ ମୁଁ

ଅହି ସୁଲକ୍ଷଣୀ ହେଇ ଥା ଆଶୀର୍ବାଦ ମିଳେ

ତୁମ ନାଁରେ କାହିଁକି ?


ସାବିତ୍ରୀବ୍ରତ 

ଉଆଁସ ଏକାଦସି ଉପବାସ ମୁଁ କରେ 

ତୁମ ନାଁରେ କାହିଁକି ?


ଗର୍ଭ - ଯନ୍ତ୍ରଣା ମୋର ରକ୍ତ-କ୍ଷୀର ମୋର

କିନ୍ତୁ ପିଲା ତୁମ ନାଁରେ କାହିଁକି ?


ମୋ ନିଜ ନାଁ ସହିତ ଯୋଡା

ଅତୀତ ପତିତ ଗୋତ୍ର ସବୁ ତୁମ ନାଁରେ

କାହିଁକି ?


ସବୁତ ତୁମ ନାଁରେ

ଘର ଆଗରେ ମାର୍ବଲରେ ଖୋଦା ନେମପ୍ଲେଟ୍ ବି

ତୁମ ନାଁରେ କାହିଁକି ?


ବିନମ୍ରତା ସହିତ ପଚାରି ପାରିବି କି

କହିବ କି ମୋର ପତିଦେବ ହେବ କି

 ମୋ ନାଁରେ 

ମୋ ନାମିତ ସ୍ଥାପିତ

ତୁମ ପାଖରେ ମୋର କିଛି ନାହିଁ କାହିଁକି ?


ନିରୁତ୍ତର ଅନନ୍ତର 

ପ୍ରଶ୍ନ ବାଣେ ଜରଜର

ପତିଦେବ ଖୋଲି ଅନ୍ତର

କେଇପଦ କହିଦେଲେ ନିରୁତା ଉତ୍ତର ।


କେଉଁ ଭାବରେ କହିବି ମୁଁ

କେଉଁ ଭାଷାରେ ବର୍ଣ୍ଣିବି ମୁଁ 

ତୁମେ ମହିୟସୀ ଶରତଶଶୀ

ତୁମ ପାଇଁ ନୁହଁ ଆଜିର ଦିନ 

ତୁମେତ ସବୁଦିନ ମଲ୍ଲୀକଷି ।


ତୁମେ ଜୀବନ ସ୍ପନ୍ଦନ ସୃଜନ ଚିରନ୍ତନ

ତୁମେ ବିଶ୍ୱାସ ନିଃଶ୍ୱାସ ଆଶ୍ୱାସ ଅଧ୍ୟୟନ

ତୁମେ ଋତୁମତୀ ଶ୍ରାବଣ ଫଗୁଣ ବାତାୟନ

ତୁମେ ବୈଶାଖୀ ଆନନେ ସଞ୍ଜିବନୀ ଆସ୍ଵାଦନ  


ବହୁରୂପୀ ତ୍ୟାଗ ତୀତୀକ୍ଷାର ଶାଶ୍ଵତ ଦର୍ପଣ

ଅସରନ୍ତି ଅଭିନୟେ ସଦା ସର୍ବଦା ସମର୍ପଣ


ଧର୍ମପତ୍ନୀ ରୁ କେବେ କେବେ

ଗୃହଲକ୍ଷ୍ମୀ ଅନୁପୂର୍ଣ୍ଣ। ମହାଲକ୍ଷ୍ମୀ

ମା' ଭଉଣୀ ବାନ୍ଧବୀ କନକଲକ୍ଷ୍ମୀ

ଦୁହିତା ସେବିକା ରତି ଅଙ୍କଲକ୍ଷ୍ମୀ


ତୁମେ ଓ ମୁଁ ପରା ବିଭୁଦତ୍ତ ପ୍ରକୃତି ପୁରୁଷ

ତୁମେ ମୋର ଆଲୋକ ଜ୍ୟୋତି ମଧୁମାସ

ଫମ୍ପା ନାମରେ ପରିଚୟ ନାଇ ମୁଁ ଅସ୍ତିତ୍ଵହୀନ 

ତୁମେ ମୋର ସମୂଳ ସୁଧ ପୁଞ୍ଜି ସର୍ବାନ୍ତକରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational