ବତୁରୀ କଦମ୍ବ
ବତୁରୀ କଦମ୍ବ
ମେଘ ମେଦୁର ଅମ୍ବର ଛାଇ
ବତୁରୀ କଦମ୍ବ ଫୁଲେଇ ରାଇ
କାଲି ଶ୍ରାବଣରେ ଝୁମୁଥିଲା ଦେଖେଇ ଛଟକ ଛଇ
ଛିଙ୍କୁଛି ସାରା ରାତି ପେଟେଇ ହାମୁଡେଇ
ତିନ୍ତିଲା ନ ମାନି ଗଛ ମା' ର ଗାଳି ଖାଇ ।
କଳା କିଟିକିଟି ଅନ୍ଧାର ରାତି
କୁଟକୁଟା ବର୍ଷା ଢ଼ାଳୁଛି ବେସୁସାର ପ୍ରୀତି
ରାତି ଶେଷ କାହାଣୀ ଶେଷ
ନୂଆ ସକାଳ ନୂଆ ସପନ
ପ୍ରାଚୀ ତଟେ ଦେଖି ଭାସ୍କର ବେଶ
ବତୁରୀ କଦମ୍ବ ଭିଡ଼ିମୋଡି ହେଲାଣି ଭାଇ
ମୁଦ୍ରିତ ଆଖିପତା ଖୋଲି ପକେଇ
ରବିର କୋମଳ ପରଶ ପାଇ ମାରୁଛି ହାଇ
ପଲକରେ ସରିଗଲା ସବୁ ବ୍ୟଥା ବେଦନା
ଅଜସ୍ର ଆଷାଢ଼ର ଲାଞ୍ଜନା ଯାତନା
ଶ୍ୟାମଳ ଆକାଶ କୋଳେ
ସବୁଜ ପତ୍ର ଗହଳେ
ବତୁରୀ କଦମ୍ବର ଦେହ ଓ ଦହନ
ଉପସମ ହେଲା ପାଇ କିରଣ ଚନ୍ଦନ ।
ହସୁଥିଲା ଖିଲିଖିଲି ବତୁରୀ କଦମ୍ବ
ଝରକା ସେପାଖେ କିଶୋରୀ
ଋଷି ବିସିଛି ସୁକୁମାରୀ
ଥମ୍ ଥମ୍ ଗମ୍ ଗମ୍ ହତବମ୍ବ
ବୁଝି ନ ବୁଝି ହସିଦେଲା
ଲାଜରେ ଜୁଡ଼ୁବୁଡ଼ୁ ଗୋଲାପି ନିତମ୍ବ ।