STORYMIRROR

Panchanan Jena

Romance

3  

Panchanan Jena

Romance

ବସନ୍ତର ଅଭିସାର

ବସନ୍ତର ଅଭିସାର

1 min
181

ଧରଣୀ ପିଠିରେ 

ଲାଉ ହେଇଥିବା 

କୁହୁଡିକୁ ପଚାରିଲି

ଶୀତର ଖବର


ପାହାଡର ମଥାଛୁଇଁ 

ହାତଠାରି ଧାଉଁଥିବା 

ମେଘକୁ ପଚାରିଲି

ବର୍ଷାର ଖବର


ପୋଲତଳେ ଗୀତଗାଇ 

କୁଳୁକୁଳୁ ବ୍ରାହ୍ମଣୀ 

ନଈକୁ ପଚାରିଲି

ବନ୍ୟାର ଖବର


 ଗାଲିଚାରେ ଧଳା ନୀଳ 

ରଙ୍ଗ ଢାଳି ଚିତ୍ର ଆଙ୍କୁଥିବା 

ଆକାଶକୁ ପଚାରିଲି 

ସୂର୍ଯ୍ୟର ଖବର


କେହି କିଛି କହିବା ଆଗରୁ

କିଛି ଉତ୍ତର ମିଳିବା ପୂର୍ବରୁ


ତୁମେ ଶୀତ ଶିଶିରରେ ହୋଇସିକ୍ତI

ଚା' ଗ୍ଲାସର ବାମ୍ପରେ ଆକ୍ତାମାକ୍ତା 

ଛୁଇଁ ଦେଲ ଧିରେ ।୧


ବଗିଚାରେ ଫୁଟିଥିବା ଫୁଲଙ୍କୁ 

ଛୁଇଁ କୁତୁକୁତୁ କରୁଥିବା 

ପବନକୁ ପଚାରିଲି 

ସ୍ପନ୍ଦନ ଖବର


ଗୁଣୁଗୁଣୁ ଗୀତଗାଇ ଚୁମି 

ଯାଉଥିବା ଷଟପଦ

 ଦଳକୁ ପଚାରିଲି

ଯୌବନ ଖବର


ତୁଳସୀ ଚଉରା ମୂଳେ 

ଦାଉ ଦାଉ ଜଳୁଥିବା 

ସଂଧ୍ୟାଦୀପକୁ ପଚାରିଲି 

ଜ୍ୟୋସ୍ନାର ଖବର


ଉଦାସୀ ଆକାଶେ 

କଳା କିଟିକିଟି 

ରାତିର କୋଳରେ 

ଆଖି ମାରୁଥିବା 

ତାରାଙ୍କୁ ପଚାରିଲି

ଜହ୍ନର ଖବର


କେହି କିଛି ଉଁ କି ଚୁଁ କରିବା ପୂର୍ବରୁ

କିଛି ଅର୍ନ୍ତଭେଦି ସ୍ୱ-ଉତ୍ତର ଶୁଣିବା ଆଗରୁ


ତୁମେ ଝିନ ପାଟ ବସନେ ବିଭୂଷିତା କନକ ଗୋରୀ

ତୁମେ ଦିଶୁଥିଲ ତନୁ ଭୂଗଳରେ ଅପସରୀ ସରଗପରୀ

ପାଶେ ବସିଲ ବାରେ ।୨


ଗାଲକୁ ଛୁଇଁ ଝରିଯାଉଥିବା

 ଦୁଇ ଧାର ତତଲା 

ଲୁହକୁ ପଚାରିଲି

ସ୍ମୃତିର ଖବର


ନିଭୃତ ମନରେ 

ଥରି ଯାଉଥିବା 

ଫୁଜିଭୂତ କୋହକୁ ପଚାରିଲି

ପ୍ରୀତିର ଖବର


ହେମାଳ ଶୀତରେ

 ପାହାନ୍ତି ପ୍ରହରେ 

ସରି ଆସୁଥିବା 

ଲମ୍ବା ରାତିକୁ ପଚାରିଲି

ପ୍ରେମର ଖବର


ବୁକୁଫଟା ଦୀର୍ଘଶ୍ୱାସ 

ତନ୍ଦ୍ରାଭରା ଅବଶୋଷକୁ ପଚାରିଲି

ପ୍ରତାରଣାର ଖବର


କିଛି ପ୍ରତ୍ୟୁତ୍ତର ଶୁଣିବା ପୂର୍ବରୁ

କେହି କିଛି ବଖାଣିବା ଆଗରୁ


ତୁମେ କଡ଼ ଲେଉଟେଇଲ ଆବେଗରେ ମୁଦ୍ରିତାଲୋଚନରେ

ତୁମେ ଜାକି ଧରିଲ ଉଷୁମ ଇଚ୍ଛାରେ ଆଦିମାକର୍ଷଣରେ

ଚୁମି ଦେଲ ଥରେ ।୩


ଆଖି ଲୁହ ସବୁ ଆଖିରେ ନ ରହି

  ବାଛିନେଲା ନାସିକା ଦ୍ଵାର

ମୋ ଭାଗ୍ୟ ମୋତେ ଆଖି ମାରୁଥିଲା

  ଶୀତ ଶେଷ ବସନ୍ତର ଅଭିସାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance