ବସନ୍ତ
ବସନ୍ତ
ବସନ୍ତ ଋତୁଟେ ନା ଅନୁଭବଟେ
ସିଏ ଚାଲିଗଲେ ବାସ୍ନା ଉଠେ ବଉଳର
ସିଏ ଗାଧୋଇଲେ ଅବିର ବୋଳିହୋଇ
ରଂଗିନ ହେଇଯାଏ ମନ ଭିତରଟା।
ବସନ୍ତ ଋତୁଟେ ନା ସୁଯୋଗଟେ
ଯିଏ ଆସିଲେ ହାତରେ ଫଗୁ ଭରିଯାଏ
ଇଚ୍ଛା ହୁଏ ଦୁଷ୍ଟାମୀ କରିବାକୁ ସାଥୀ ସାଥେ
ତା' ଦେହରେ ବୋଳିଦେବାକୁ ପ୍ରୀତି ରଂଗ
ଏଇ ଦେଖ ନା
ତୁମ ଓଠ ଭଳି ଫିକା ଗୋଲାପୀ ରଂଗର ଦେହ ମୋର।
ବସନ୍ତ ଋତୁଟେ ନା ଦୁଃସାହସୀ ଯୁବକଟେ
ଯିଏ ଛୁଇଁ ପାରିଛି ମୋ ଆଗରୁ
ତା' ଲମ୍ବା ଓଢ଼ଣୀକୁ
ତା' କେଶକୁ ମନକୁ ।
ବସନ୍ତ,ଋତୁଟେ ନା ପୁଣି ପୁରୁଷଟେ
ଯାହାର ଆଗମନରେ ସଜେଇ ହୁଅନ୍ତି ପାଦପ ମାନେ
ସିଏ ଗଭାରେ ଫୁଲ ଖୋସେ
ମାତୃତ୍ୱର ଆନନ୍ଦ ଭରିଦିଏ ସେମାନଙ୍କ ଠି।

