ବର୍ଷାର ଛଟା
ବର୍ଷାର ଛଟା
ଝରକା ଆରପଟେ
ବରଷା ଛିଟା
ଅସରାଏ ନୃତ୍ୟ ଛନ୍ଦାୟିତ
ଗୁଳ୍ମଗୁଳି ଦାନଵ
ସରପଟିଆ ଓଦା
କେଇ ଘଣ୍ଟା ପାଇଁ ପରାଜିତ ।
ଅତ୍ୟାଚାରିତ ଦୁବ
ଦାରୁ ପଲ୍ଲବ
ଝୁମୁଥାନ୍ତି ଆନନ୍ଦ ମଲ୍ହାରେ
କାଣିଚାଏ
ହସ-ଖୁସିର ଦ୍ୟୁତକ
ଝପାଏ ବର୍ଷା ବିତାନରେ ।
ବାହୁ ଦୁଇ ସ୍ଵତଃ
ପ୍ରସାରିତ ମୋର
ବାତାୟନ ଅଳିନ୍ଦ ସେପଟେ
ଛୁଇଁବାକୁ ସ୍ଵତଃସ୍ଫୁର୍ତ୍ତ
ଖୁସିଉତ୍ସ ଧାର
ସାମିଲ ହେବାକୁ ସନ୍ନିକଟେ ।
ସିହରଣ ସିତ୍କାରର
ଛଟା ଅଂଗେ ଅଂଗେ ଧାଏଁ
ବିଦ୍ୟୁତ ତରଙ୍ଗ ସମ ଝଲକାଏ
ଚାରିଦିନର ବିଜୁଳି
କାଟ ବିଭ୍ରାଟ
ଅସହ୍ୟ ପାଣିପାଗ ଝାଳେଇଦିଏ ।
ଗୁଳୁଗୁଳି ରାକ୍ଷସର
ଲେଲିହାନ ବିତ୍ପାତ
ଜନ ଜୀବନ ଡାକେ ତ୍ରାହି ତ୍ରାହି
ଝାଳରେ ଆପ୍ଳୁତ
ବୃଦ୍ଧ ବୃଦ୍ଧା ବାଳକ
ଗାଳି ବର୍ଷାନ୍ତି ପାଳିରେ ରହି ।
ବଡ଼ ଅଲାଜୁକ ଏ
ଗୁଳୁଗୁଳି ତାତି
ତତଲା କପାଳ- ତାୱାରେ
ଫୁଟାଏ ସ୍ୱେଦ
କାକଳୀ ନିଇତି
ବେତ୍ରାଘାତ ମୁର୍ଚ୍ଛନାରେ ।
ତମେ ହିଁ ସୃଜନା- ସର୍ଜନା - ସମ୍ଭାବନା
ପ୍ରାଣୀ- ପାଦପ ଜଗତର
ସପ୍ତାହାନ୍ତେ ଆସନ୍ତ
ଯଦି ଝୁମି ଝୁମି
ଖୁସି ବର୍ଷା ପାଲିଙ୍କିରେ ।
ଅସରାଏ ବୁନ୍ଦା ବୁନ୍ଦି
ଘର ଅଗଣା
ବଗିଚା କ୍ଷେତ ତୋଟା ଆଡ଼େ
ତୃଷିତ ସନ୍ତାପିତ
ପ୍ରାଣେ ସଂଜିବନି
କଳିକା ଫୁଟାନ୍ତ
ଅଫୁରନ୍ତ ଉଲ୍ଲାଷ କଡ଼େ କଡ଼େ ।
