ଭକ୍ତିପୁଷ୍ପ-୧୬
ଭକ୍ତିପୁଷ୍ପ-୧୬
ଘନ ଘନ ଘନ
ଶୁଭେ ବଂଶୀ ସ୍ବନ
ଘନଶ୍ଯାମ ବନେ କିବା ଗଲେଣି ,
ଘେନି ଗୋ କଳସୀ
ଆସ ଗୋ ଅଳସୀ
ଯିବା ଗୋ ଯମୁନା ନିଶି ଗଲାଣି ।
ବନମାଳୀ ବନେ
ବୁଲି ଏଣେତେଣେ
ଗୋଠକୁ ଗୋଧନ ନେଲେଣି ,
ମନେ ମନେ ଭାଳି
ହେଉ ଥିବେ ହରି
ବଂଶୀରେ ରୋଦନ କଲେଣି ।
ବତ୍ସା ଧେନୁ ସଙ୍ଗେ
ବୁଲି ଅଙ୍ଗେ ଅଙ୍ଗେ
ଦରଜରେ ଘାରି ଯିବଣି ,
ଆସଗୋ ସଜନୀ
ବିଳମ୍ବ କରନି
ସଜ କର ସଜ ଲହୁଣୀ ।
ପାଦେ ଦେବା ଲେପି
ଶୁଣ ଆଲୋ ଗୋପି
ସହଜରେ କାହ୍ନୁ ମାନେନି ,
କୋଳରେ ବସେଇ
ଅଶ୍ରୁ ନୀରେ ଧୋଇ
ପୋଛିବା ପଣତେ ସଜନୀ ।
ରାଇର ବିକଳ
ଦେଖି ଏ ସକଳ
ଠେସା ଠେସି ହୋନ୍ତି କହୁଣୀ ,
ଏତେ ପ୍ରେମ ଥାଇ
କେମିତି ତୁ ରାଇ
ହେଲୁ ଚନ୍ଦ୍ରସେଣା ଘରଣୀ ।
ଲାଜ ନାହିଁ ତତେ
ଭଣଜାକୁ ଏତେ
ଭଲ ପାଏ କାହିଁ ଦେଖିନି ,
ସେଥି ପାଇଁ ପରା
ବାଜୁଛି ନାଗରା
ମିଛେ ରାଇ କଳଙ୍କିନୀ ।
